ବାରିପଦା ଟାଉନ ଥାନା ଅଧିକାରୀ ବାଧା ଦେବାକୁ ଉଦ୍ୟମ କରି ବିଫଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ୧୮ରୁ ୪୪ ବର୍ଷ ବୟସର ଯୁବକମାନଙ୍କୁ ଟୀକାକରଣ ପ୍ରକ୍ରିୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହରର ଭଞ୍ଜପୁର ହାଇସ୍କୁଲ ପରିସରରେ ଏକ ଟୀକାରଣ କେନ୍ଦ୍ର ଖୋଲା ଯାଇଛି । ଉକ୍ତ ଶିବିରରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟ-ଆଉଟକୁ ବିରୋଧ କରି ଜୁନ ୨୨ ପୂର୍ବାହ୍ନ ସମୟରେ ଦେଖା ଦେଇଥିଲା ଉତ୍ତେଜନା । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କଟ-ଆଉଟ ଲଗାଯିବାକୁ ତୀବ୍ର ବିରୋଧ କରାଯାଇଥିଲା । ଟୀକାକରଣ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟ ଜାରି ରହିଥିବା ବେଳେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପୂର୍ବ ଭାଗର ସଭାପତି କାନ୍ଦ୍ରା ସୋରେନ, ପୂର୍ବତନ ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ କେନ୍ଦ୍ର ଭିତରକୁ ଧସେଇ ପ୍ରବେଶ କରି ଶିବିରର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ କଟଆଉଟ କାହିଁକି ଲଗାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଟୀକାକରଣ ପ୍ରକ୍ରିୟା ଜାରି ରହିଥିବାରୁ କେନ୍ଦ୍ର ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିବା ସହ ସାଂସଦ ଶ୍ରୀଟୁଡ଼ୁଙ୍କ ପଥକୁ ଉଗାଳିଥିଲେ ।
ମାତ୍ର ଥାନା ଅଧିକାରୀ ଶ୍ରୀସେନାପତିଙ୍କ ଆକଟକୁ ଅଣଦେଖା କରି କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ହଟାଇବାକୁ ସାଂସଦ ଶ୍ରୀଟୁଡ଼ୁ କହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଟଆଉଟକୁ ଜୋର ଜବରଦସ୍ତ ଭାବେ ନେଇ ଆସି ତାହାକୁ ଭାଙ୍ଗି ଫୋପାଡ଼ି ଦେଇଥିଲା । ପୁଣି ତାହାକୁ ଗୋଟାଇ ଶିବିରରୁ ନେଇଯାଇଥିଲେ । ବିଜେପି ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ଲାଗିବାକୁ ବିରୋଧ କରୁନାହାନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ଲାଗୁଛି ତେବେ ପ୍ରଧାନମନ୍ତ୍ରୀଙ୍କ କଟଆଉଟ କାହିଁକି ଲଗାଗଲା ନାହିଁ । ଏଥି ସହିତ କେନ୍ଦ୍ର ରାଜ୍ୟକୁ ଟୀକା ଯୋଗାଉଥିବା ବେଳେ ବିଜେଡ଼ି ଏହାକୁ ନେଇ ଚଳାଇଥିବା ଶସ୍ତା ରାଜନୀତିକୁ ବିଜେପି ବିରୋଧ କରୁଛି ଏବଂ ବିଜେଡ଼ି ଏଥିରୁ ନିବୃତ୍ତ ରହିବାକୁ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପୂର୍ବ ଭାଗର ପୂର୍ବତନ ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ପାଟିରେ କହୁଥିବାର ଦେଖିବାକୁ ମିଳିଥିଲା ।