ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ଭଞ୍ଜପୁରସ୍ଥିତ ଶିମିଳିପାଳ ଡ଼ିଡ଼ି ଏସଟିଆର(ସାଉଥ) କାର୍ଯ୍ୟାଳୟକୁ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ର ପାଠ ସହ ପବିତ୍ର ଗଙ୍ଗା ପାଣି ସିଞ୍ଚନ କରାଯାଇ ଶୁଦ୍ଧ କଲେ ଜନସାଧାରଣ । ଏହାର କେତେକ ଫୁଟେଜ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ଏହିଭଳି କାର୍ଯ୍ୟ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରେ ଉପକ୍ଷେତ୍ର ନିର୍ଦ୍ଦେଶକ(ସାଉଥ) ଭାବେ ଯଜ୍ଞଦତ୍ତ ପତି ଦାୟିତ୍ୱ ଭାର ସମ୍ଭାଳିବାର ଅଳ୍ପ କିଛି ଦିନ ବ୍ୟବଧାନରେ ସେ ବିବାଦୀୟ ହୋଇପଡ଼ିଥିଲେ । ତାଙ୍କର ପରିଚାଳନାଗତ ଅପାରଗତା କାରଣରୁ ଶିମିଳିପାଳ ଅଭୟାରଣ୍ୟରେ କାଠ ମାଫିଆ ଓ ଶିକାରୀ ମାତ୍ରାଧିକ ସକ୍ରିୟ ହୋଇପଡ଼ିଥିବାର ସଙ୍ଗୀନ ଅଭିଯୋଗ ଆସିଥିଲା । ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଂଙ୍ଗଠନ ଭଞ୍ଜ ସେନା ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏପରିକି ତାଙ୍କ ବଦଳି ଦାବିରେ ଆନେ୍ଦାଳନକୁ ଉହ୍ଲାଇ ଆସିଥିଲେ । ଗତ ଗ୍ରୀଷ୍ମ ଋତୁରେ ଶିମିଳିପାଳ ଅଭୟାରଣ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଥିବା ବେଳେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଥିଲା । ଯାହାକୁ ନେଇ କେବଳ ମୟୂରଭଞ୍ଜ ନୁହେଁ ଜାତୀୟ ସ୍ତରରେ ଚର୍ଚ୍ଚା ପରିସରକୁ ଆସିଯାଇଥିଲା । ଏହି ସମୟରେ ଚଳିତ ମାସ ଡ଼ିଡ଼ି ଏସଟିଆର(ସାଉଥ) ଶ୍ରୀପତିଙ୍କ ବଦଳି ଆଦେଶ ବାହାରିବା ପରେ ଖୁସୀରେ ଜନସାଧାରଣ ପରସ୍ପର ମଧ୍ୟରେ ମିଠା ବଣ୍ଟନ କରିଥିଲେ । ଏଥି ସହିତ ସାମାଜିକ ଗଣମାଧ୍ୟମରେ ତୀବ୍ର ଭାବେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଡ଼ିଡ଼ି ଶ୍ରୀପତି ଗତ ଶୁକ୍ରାବାର ବାରିପଦାରୁ ରିଲିଭ ହେବା ପରେ ଶିମିଳିପାଳ ଅଭୟାରଣ୍ୟର ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ଶୁଭ ଦିନ ଫେରି ଆସିଲା ବୋଲି ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେତେକ ଯୁବକ ତାଙ୍କ କାର୍ଯ୍ୟାଳୟ ପରିସରରକୁ ବ୍ରାହ୍ମଣ ଡକାଇ ମନ୍ତ୍ର ଉଚ୍ଚାରଣ ଓ ଗଙ୍ଗା ପାଣି ସିଞ୍ଚନ ପୂର୍ବକ ପବିତ୍ର କରାଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏ ବିଷୟରେ ଆରସିସିଏଫ ଯୁଗ ଦୟାନନ୍ଦଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ତାଙ୍କ କାର୍ଯ୍ୟାଳୟରେ ଏଭଳି କିଛି ଘଟଣା ଘଟି ନାହିଁ ବୋଲି କହି ଖଣ୍ଡନ କରିଥିଲେ
ରାଜ୍ୟ
ଗଙ୍ଗା ପାଣି ସିଞ୍ଚନ କରି ଶିମିଳିପାଳ ଡ଼ିଡ଼ି ଏସଟିଆର(ସାଉଥ) କାର୍ଯ୍ୟାଳୟକୁ ପବିତ୍ର କଲେ ଜନସାଧାରଣ
- Hits: 399