ମୋଦି ସରକାରଙ୍କ ସର୍ବବୃହତ ମାଗଣା ଟିକା ଅଭିଯାନରେ ସାମିଲ ହୋଇ ସବୁ ନାଗରିକଙ୍କୁ ଟିକା ନେବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ ନଗର ସ୍ଥିତ ସିଜିଏଚଏସ ଡିସପେନସେରୀ ହସ୍ପିଟାଲର ଟିକା କେନ୍ଦ୍ରକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟକର୍ମୀ ଏବଂ ଟିକା ନେଉଥିବା ବ୍ୟକ୍ତି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ନାଗରିକମାନଙ୍କ ମଧ୍ୟରେ ଟିକା ନେବା ପାଇଁ ବହୁତ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣାରେ ଟିକା ଦେବାର ବ୍ୟବସ୍ଥା କରିଛନ୍ତି ।
ଭାରତର ସବୁ ନାଗରିକଙ୍କୁ ମାଗଣାରେ ଆରମ୍ଭ ହୋଇଥିବା ଏହି ଟିକା ଅଭିଯାନରେ ସହଯୋଗ କରିବା ସହ ଶୃଙ୍ଖଳାର ସହ କୋଭିଡ୍ ନିୟମ ମାନି ଟିକା ନେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେହିପରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରିବା ନେଇ ନାଗରିକମାନେ ଗର୍ବ କରୁଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆତ୍ମବିଶ୍ୱାସ ରଖିଛନ୍ତି । ଏହାସହ ସମସ୍ତ ଅଭିଯାନରେ ମୋଦି ସରକାରଙ୍କ ମାଗଣାରେ ଟିକା ନେବାର ପରିଚାଳନା ନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଆଜି ଠାରୁ କୋ-ୱିନ୍ ପ୍ଲାଟଫର୍ମରେ ମଧ୍ୟ ବିନା ପଞ୍ଜିକରଣରରେ ଲୋକମାନେ ଟିକା ନେଇପାରିବେ । ନାଗରିକଙ୍କୁ ଟିକା ନେବା ପାଇଁ ୱେବସାଇଟରେ ପଞ୍ଜିକରଣ ସହ ୱାକ୍-ଇନର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି । ଏହି ପଦକ୍ଷେପ ସମାଜର ପ୍ରତ୍ୟେକ ବର୍ଗ ବିଶେଷ ଭାବରେ ସମାଜର ଗରିବ ଏବଂ ଅସହାୟଙ୍କ ପାଖରେ ଟିକା ପହଁଚାଇବାରେ ଅଧିକ ସହାୟକ ହେବ ।
ଆମକୁ ଟିକାକରଣକୁ ଜନଆନେ୍ଦାଳନ ଭାବରେ ପରିଣତ କରିବାକୁ ପଡ଼ିବ । ସମସ୍ତଙ୍କୁ ଟିକାକରଣ କରିବା, ଗୁଜବକୁ ପ୍ରତିହତ କରି ଟୀକା ଦ୍ୱନ୍ଦ୍ୱ ଦୂର କରିବାରେ ସାହାଯ୍ୟ କରିବା ଏବଂ ମାଗଣାରେ ଟୀକାକରଣ କରିବାକୁ ଅନ୍ୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଏକାଠି ସମସ୍ତେ କୋଭିଡକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।








