ଖଣି ଅଂଚଳରେ ପଡ଼ି ରହିଥିବା ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରାଯାଉ  : ମୋହନ ମାଝି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ରାଜ୍ୟର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟର ଖଣି ଅଞ୍ଚଳରେ ପଡ଼ି ରହି ବିକ୍ରି ହୋଇନଥିବା ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ନିୟୁତ ମେଟ୍ରିକ୍ ଟନ(ଏମଏମଟି)ର ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଜେପି ପକ୍ଷରୁ ଦାବୀ କରାଯାଇଛି  । ଏ ପରିପ୍ରେକ୍ଷୀରେ ବିଜେପି ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ରାଜ୍ୟର ଖଣି ନିଲାମ କରାଯାଇଥିଲା  । ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା  । ଏହି ପଡ଼ି ରହିଥିବା ଖଣିଜ ଦ୍ରବ୍ୟ ମଧ୍ୟରୁ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି  । ଯାହାର ଆନୁମାନିକ ମୂଲ୍ୟ ୧୦,୦୦୦ କୋଟି ଟଙ୍କା, ତାହା ନଭେମ୍ୱର .୨୦୨୦ ପର୍ଯ୍ୟନ୍ତ ମହଜୁଦ ଥିଲା । ଏମଏମଡିଆର ଆକ୍ଟର ନିୟମର ୧୨(GG) ଏବଂ ୧୨(HH) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ କରାଯାଇ ପାରି ନଥିଲା । ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆ ଗାଁ ଆଇରନ ଓର୍ ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡି ରହିଛି  । 

ଶ୍ରୀ ମୋହନ ମାଝି କହିଛନ୍ତି ଯେ ଏହି ଖଣିର ଲିଜଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା  । ମାତ୍ର ମାନ୍ୟବର କୋର୍ଟ ନିଦେ୍ର୍ଧଶନାମା ଜାରି କରି କହିଲେ ଯେ, ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟତାମୂଳକ ହେବ ବୋଲି ରାୟ ଦେଇଥିଲେ  । ପରବର୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ । କାରଣ ଦର୍ଶାଇ ସେ କହିଥିଲେ, ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ । ତେଣୁ ଏମଏମଡିଆର ଆକ୍ଟ ଧାରା ୧୨(HH)ଅନୁସାରେ ୧ ନଭେମ୍ୱର,୨୦୨୦ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ । ଏହା ବିକ୍ରି କରାଗଲେ ରାଜ୍ୟକୁ ହିଁ ଲାଭ ହେବ  । 

ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ  । ମାତ୍ର ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏ ମାମଲାରେ କୌଣସି ପଦକ୍ଷେପ ନେଇ ନାହାନ୍ତି  । ଏହି ଖଣିଜ ଦ୍ରବ୍ୟ ବିକ୍ରି ନହେବା କାରଣରୁ ବଜାରରେ ଲୁହା ପଥରର ଉପଲବ୍ଧତା କମ ହେଲାଣି  । ଯାହା ପାଇଁ ଲୁହା ପଥରର ବଜାର ଦର ମଧ୍ୟ ବଢିଲାଣି  । ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲେଭି ଓ ଟିକସ ବାବଦରେ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଯଦି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନଅନ୍ତି ଖଣିଜ ପଦାର୍ଥରୁ ମିଳିଥିବା ରାଜସ୍ୱ ସାହାଯ୍ୟରେ କୋଭିଡ-୧୯ ମହାମାରୀ ସମୟରେ ବଡ ସହାୟତା ଦେଇପାରିବ । ଏହି ରାଜସ୍ୱ ସ୍ୱାସ୍ଥ୍ୟ ଭିତିଭୂମିକୁ କୋଭିଡ୍ ମହାମାରୀ ସମୟରେ ସୁଦୃଢ଼ କରିବା ସହ ଶିଳ୍ପାୟନ ଜଗତର ମଧ୍ୟ ବିକାଶ କରାଇବ  । ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତିଭୂମି ସଦୃଢ଼ ହେବ । 

ରାଜ୍ୟ ସରକାରଙ୍କ ତହବିଲକୁ ନଜରରେ ରଖିବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ପାଇଁ ରାଜ୍ୟ ସରକାର ପଡି ରହିଥିବା ଏହି ସବୁ ଲୁହା ପଥରକୁ ତୁରନ୍ତ ବିକ୍ରୟ କରନ୍ତୁ । ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବା ସହ ଏହାର ବିକ୍ରୟ ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବା ପାଇଁ ପତ୍ର ଲେଖିଛୁ । 

ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ନିଜର କ୍ଷମତାକୁ ବ୍ୟବହାର କରି କରୋନା ମହାମାରୀ ସମୟରେ ନିଜର ରାଜକୋଷକୁ ସୁଦୃଢ଼ କରିବାର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଶ୍ରୀ ମୋହନ ମାଝି ଦାବୀ କରିଛନ୍ତି । ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝିଙ୍କ ସମେତ  ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଯଶୀପୁର ବିଧାୟକ ଇଂ.ଗଣେଷ ରାମ୍ ଖୁଂଟିଆ ପ୍ରମୁଖ ଦାବୀ କରିଛନ୍ତି  । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଉପସ୍ଥିତ ଥିଲେ ।

 

 

 

 

 

 

0
0
0
s2sdefault