ଓଡିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଭାରତର ଏକ ମାତ୍ର ରାଜ୍ୟ ଯେ ଖଣି ନିଲାମ କରିଛି, ଯାହା କି ଅତି ସ୍ୱଚ୍ଛତା ଓ ନିରପେକ୍ଷତା ସହିତ କରାଯାଇଛି । ଏଥିପାଇଁ ଓଡିଶାକୁ ପ୍ରଶଂସା ମିଳୁଥିବାବେଳେ ବିଜେପି ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଓ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପି ବିଧାୟକ ମୋହନ ମାଝିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଅତ୍ୟନ୍ତ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବରେ ଖଣି ନିଲାମ କରାଯାଇଛି । ଏଥିପାଇଁ କେନ୍ଦ୍ର ତଥା ଅନ୍ୟାନ୍ୟ ମହଲରୁ ଓଡିଶାକୁ ପ୍ରଶଂସା ମିଳିଛି ।
ଯାହା ମନେହେଉଛି ଶ୍ରୀ ମାଝି ଖଣି ଅଧିନିୟମ ଏବଂ ନିୟମ ଆଦି ବିଷୟରେ ଟିକି ନିଖି ଭାବେ ଅବଗତ ନଥିବାରୁ ସେ ଏପରି ଭିତ୍ତିହୀନ ବିବୃତ୍ତିମାନ ପ୍ରଦାନ କରୁଛନ୍ତି । ଯଦି ତାଙ୍କର କୌଣସି ସନ୍ଦେହ ଅଛି, ତେବେ ସେ ଏହି ଘଟଣାରେ ତଦନ୍ତ କରିବାକୁ କେନ୍ଦ୍ରକୁ କହିପାରିବେ । ଏଥିରେ ବିଜେଡି ସରକାରଙ୍କର କିଛି ଲୁଚାଇବାର ନାହିଁ ।
ଏଭଳି ବିବୃତ୍ତି ରଖିବାବେଳେ ଶ୍ରୀ ମାଝି ଲଜ୍ଜିତ ହେବା ଉଚିତ ଯେ କରୋନା ମହାମାରୀ ସମୟରେ ସେ କୌଣସି ପ୍ରସଙ୍ଗ ନ ପାଇ ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବାକୁ ସେ ଏପରି ମିଥ୍ୟା, କପୋଳକଳ୍ପିତ ଏବଂ ଭିତ୍ତିହୀନ ବିବୃତ୍ତିମାନ ପ୍ରଦାନ କରୁଛନ୍ତି । ତେଣୁ ମହାମାରୀ ସମୟରେ ଖଣି ଆଇନ୍ ସଂକ୍ରାନ୍ତରେ କିଛି ନବୁଝି ନସୁଝି ବିବୃତ୍ତି ଦେଇ ରାଜନୀତି ନକରିବାକୁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।