"କରୋନା କଟକଣା ବୋଲି ଯାଇପାରୁନି, ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି"
ଭୁବନେଶ୍ୱର:ଶେଷରେ ଜୁନିଅର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଧାସଳଖ ଯଦିଓ ସେ ପିପିଲି ଯାଇନାହାନ୍ତି, ତଥାପି ଭର୍ଚୁଆଲ୍ ରାଲି ମାଧ୍ୟମରେ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ କରିଛନ୍ତି ଭୋଟ ଭିକ୍ଷା | ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେଇ ପିପିଲିରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ଉପସ୍ଥିତ ଭୋଟରଙ୍କୁ ଅନୁରୋଧ କରିଛନ୍ତି ନବୀନ। ଆଉ ପ୍ରତିଶ୍ରୁତି ଦେଇଛନ୍ତ ଯେ ପିପିଲି-ଡେଲାଙ୍ଗ ନିର୍ଵାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ସେ ନିଜେ ତଦାରଖ କରିବେ ବୋଲି କଥା ଦେଇଛନ୍ତି ନିର୍ବାଚନମଣ୍ଡଳୀ ବାସୀଙ୍କୁ |
ପିପିଲି-ଡେଲାଙ୍ଗ ନିର୍ଵାଚନ ମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ଚାନ୍ଦୁଆ ସହର ପିପିଲି ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । କଳାର ଏହି ପିପିଲି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ ମହାନ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନବୀନ ଆହୁରି ମଧ୍ୟ କରିଛନ୍ତି ଯେ ‘ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯଦି ପିପିଲି ଯାଇଥାନ୍ତି ତେବେ ବହୁ ସଂଖ୍ୟାରେ ଆପଣ ମାନେ ଏକାଠି ହୋଇ ମୋତେ ଆର୍ଶୀବାଦ କରିଥାନ୍ତେ । ତେବେ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ ବୋଲି ଭାବିଲି, ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି, କରୋନା କଟକଣା ହଟିବା ପରେ ମୁଁ ନିଶ୍ଚୟ ପିପିଲି-ଡେଲାଙ୍ଗ ଯିବି ଓ ଆପଣ ମାନଙ୍କୁ ଭେଟିବି। ସେହିପରି ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପିପିଲି-ଡେଲାଙ୍ଗର ବିକାଶ ଆଗକୁ ଆହୁରି ଆଗେଇବ । ଏହାର ବିକାଶ ଦାୟିତ୍ବ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ବରିତ ହେବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।