ଭୁବନେଶ୍ୱର: ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତିି ରାଜ୍ୟ ସରକାର । ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ରାଜ୍ୟରେ ନିର୍ମାଣ ହେବ ଆଉ ୨୦ଟି ହସ୍ପିଟାଲ । ଘରୋଇ ଓ ସରକାରୀ ଭାଗୀଦାରିରେ ନିର୍ମାଣ ହେବାକୁ ଥିବା ଏହି ୨୦ ଟି ହସ୍ପିଟାଲରେ ୨୭୦୦ଟି ଶଯ୍ୟା ଉପଲବ୍ଧ ହେବାସହ ୧୦ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପୁଞ୍ଜି ବିନିଯୋଗ ନୀତି-୨୧୦୬ ଅନୁଯାୟୀ ରାଜ୍ୟର ୧୧ଟି ଉଚ୍ଚ ପ୍ରାଥମିକତା ଥିବା ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଓ ସରକାରୀ ଭାଗୀଦାରି କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ ପୁଞ୍ଜି ବିନିଯୋଗ ହେବ ବୋଲି ସୂଚନା ମିଳିଛି । ତେବେ ଏହି ସମସ୍ତ ହସ୍ପିଟାଲକୁ ଆଫର୍ଡେବୁଲ ହେଲ୍ଥ କେୟାର ପ୍ରୋଜେକ୍ଟ ମାଧ୍ୟମରେ ହବ ଓ ସ୍ପୋକ୍ ମଡେଲ ଡାକ୍ତରଖାନା ପ୍ରସ୍ତୁତ କରାଯିବ । କେତେକ ଡାକ୍ତରଖାନା କେନ୍ଦ୍ରୀୟ ହବ୍ ଭଳି କାର୍ଯ୍ୟ କରିବାବେଳେ ଆଉ କେତେକ ଶାଖା ଡାକ୍ତରଖାନା ସ୍ପୋକ୍ ଭଳି କାଯର୍ୟ କରିବ ।
ନୀତି ଆୟୋଗ ରିପୋର୍ଟ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ତେବେ ଏହି ୨୦ଟି ଡାକ୍ତରଖାନା ରାଜ୍ୟର ପୁରୀ, ଜୟପୁର, ଅନୁଗୁଳ, ବଡବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଢେଙ୍କାନାଳ, ବୌଦ୍ଧ, ନୂଆପଡା, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିଶେଷ କରି ସ୍ପୋକ ହସ୍ପିଟାଲ ହେବା ଦ୍ୱାରା ଶଲ୍ୟ, ଭେଷଜ, ଚକ୍ଷୁ, ଶିଶୁ ରୋଗ, ଅସ୍ଥିଶଲ୍ୟ ଭଳି ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସା ହେବାସହ ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ରହିବ । ଅନ୍ୟପଟେ ହବ୍ ହସ୍ପିଟାଲରେ ସ୍ପୋରାକ ହସ୍ପିଟାଲର ସମସ୍ତ ରୋଗର ଚିକିତ୍ସା ହେବା ସହ ହୃଦରୋଗ ଏବଂ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହାସହ ଏହି ସମସ୍ତ ହସ୍ପିଟାଲରେ ୨୭୦୦ ଶଯ୍ୟା ଉପଲବ୍ଧ ହେବ । ଯଦ୍ଦ୍ଵାରା ହସ୍ପିଟାଲରେ ଶଯ୍ୟା ଜନିତ ଅଭାବ ୫୬ ପ୍ରତିଶତ ପୂରଣ ହୋଇପାରିବ । ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାରଙ୍କ ନିଷ୍ପ ି ପଥ ପ୍ରଶସ୍ତ କରିବ । ଖାସ କରି ପାରା-ମେଡିକାଲ କ୍ଷେତ୍ରରେ ଏହି ସବୁ ନିଯୁକ୍ତି ଅଧିକ ସଂଖ୍ୟାରେ ସୃଷ୍ଟି ହେବ ।