ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ପୁରୀ ଶ୍ରୀଜଗନ୍ନାଥ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ନୟାଗଡ଼ ଜିଲ୍ଲାରେ ଥିବା ମଟ ମନ୍ଦିର ଐତିହ୍ୟ କୀର୍ତିରାଜିର ସୁରକ୍ଷା ସହିତ ଏହାକୁ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ରୁପେ ପ୍ରତିସ୍ଥିତ କରିବା ସହିତ ଏହାର ପାରିପାର୍ଶିକ ଉନ୍ନୟନ ପାଇଁ ରାଜ୍ୟ ସରକାର ନୟାଗଡ଼ ଜିଲ୍ଲା ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଜଣେ ଆଇ ଏ ଏସଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ପ୍ରଦାନ ପାଇଁ ଓଡ଼ଗାଁ ଶ୍ରୀରଘୁନାଥ ଜିଉ ସୁଆର ଓ ପୁଜକ ପରିଷଦ ତରଫରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦିଆଯାଇଛି । ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ମା’ ଦକ୍ଷୀଣକାଳି ଓ ଜଗନ୍ନାଥ ମନ୍ଦିର, ଓଡ଼ଗାଁରେ ଶ୍ରୀରଘୁନାଥ ଜିଉ ଏବଂ ଦୁତୀକେଶ୍ୱର ମହାଦେବ, ଶରଣକୁଳର ଲଡୁବାବା ମନ୍ଦିର, ରଣପୁରରେ ଶ୍ରୀଜଗନ୍ନାଥ ଏବଂ ମଣୀନାଗ ମନ୍ଦିର, ଖଣ୍ଡପଡା କଂଟିଲୋ ଠାରେ ନୀଳମାଧବ ଏବଂ ଦଶପଲ୍ଲାରେ ମହାବୀର ମନ୍ଦିର ପ୍ରମୁଖ ସ୍ଥାନ ଗୁଡ଼ିକୁ ବର୍ଷର ପ୍ରତ୍ୟେକ ସମୟରେ ପର୍ଯ୍ୟଟକମାନେ ଆସିଥାନ୍ତି । ଏହି ମନ୍ଦିର ଗୁଡିକର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରାଯାଇ ଜବର ଦଖଲ ହୋଇଥିବା ମନ୍ଦିର ଜମି ଜାଗା ଗୁଡିକର ପୁନରୁଦ୍ଧାର ହେବା ଆବଶ୍ୟକତା ରହିଛି । ଏହି ପ୍ରମୁଖ ପୀଠ ଗୁଡିକର ପାରିପାର୍ଶିକ ଉନ୍ନତିକରଣ ହେଲେ ପର୍ଯ୍ୟଟକମାନେ ନିରାପଦରେ ପ୍ରଭୁଙ୍କ ସାନିଧ୍ୟଲାଭ କରିବା ସହିତ ନିଜକୁ ନିରାପଦ ମନେ କରିବେ । ଏହା ସହିତ ବିଭିନ୍ନ ସ୍ଥାନମାନଙ୍କରେ ଥିବା ମଠ, ଐତିହ୍ୟ ଏବଂ ପୌରାଣିକ କୀର୍ତ୍ତିରାଜିର ସୁରକ୍ଷା ହୋଇ ପାରିବ ବୋଲି ସଂଘ ତରଫରୁ ଦାବୀ କରାଯାଇଛି । ଏସମ୍ପର୍କରେ ନୟାଗଡ଼ ସହିତ ରଣପୁର, ଖଣ୍ଡପଡା ଓ ଦସପଲ୍ଲା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।