କଳାହାଣ୍ଡି /ତୁଳମଣି ନାଗ(ଶାସକ ପ୍ରଶାସକ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହାର କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ। ଆଇ ଟି ଡି ଏ ଅଫିସ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ କାର୍ଯ୍ୟକାରୀ କରୁଥିବା ଯୋଗୁଁ ସ୍ଥାନୀୟ ଅଧିବାସୀ ଓ ଅଧିକାରୀ ଙ୍କ ସହିତ ସମନ୍ଵୟ ରକ୍ଷା କରିବାରେ ବିଫଳ ହୋଇଛି। ଯଦ୍ୱାରା ଯୋଜନା ଗୁଡ଼ିକର ଉଚିତ ତଦାରଖ ନ ହେବା ଯୋଗୁଁ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଚରମ ସୀମାରେ ପହଞ୍ଚି ଯାଇଛି। ଜିଲ୍ଲା ପ୍ରଶାସନ ନାମକୁ ମାତ୍ର କେବଳ ଔପଚାରିକତା ପାଳନ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଜନସାଧାରଣ ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଆନ୍ତରିକତା ଦେଖାଉ ନଥିବା ପରିତାପ ଓ କ୍ଷୋଭର ବିଷୟ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ଆଜି କଂଗ୍ରେସ ଦଳ ପକ୍ଷରୁ ଥୁଆମୂଳ ରାମପୁର ଅଞ୍ଚଳରୁ ଶତାଧିକ ଆଦିବାସୀ କାର୍ଯ୍ୟକର୍ତ୍ତା ଭବାନୀପାଟଣା ସହରରେ ଏକ ବିଶାଳ ରାଲି କରି ଆଇ ଟି ଡି ଏ ଅଫିସକୁ ତୁରନ୍ତ ଥୁଆମୂଳ ରାମପୁର କୁ ସ୍ଥାନାନ୍ତର କରିବା ଦାବିରେ ଘେରାଉ କରିଥିଲେ । ଏହି ଘେରାଉ ରେ ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ନାଏକ ନେତୃତ୍ୱ ନେଇଥିବା ବେଳେ ଆଦିବାସୀ ନେତା ପରମାନନ୍ଦ ମାଝୀ ,ଜିଲ୍ଲା କଂଗ୍ରେସ ମେଡିଆ ପ୍ରଭାରୀ ମହମ୍ମଦ ଅଲ୍ଲୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।