ବରଗଡ :- ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ରାଜ୍ୟ ସରକାରଙ୍କର ମୁଖ୍ୟ ସଚିବ ଶ୍ରୀ ସୁରେଶ ମହାପାତ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଶ୍ରୀ ଭିନୀଲ କୃଷ୍ଣ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପରିସରରେ ଚାଲିଥିବା ଉନ୍ନୟନମୁଲକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କର ନିର୍ଦେଶ କ୍ରମେ ନୃସିଂହନାଥ ମନ୍ଦିରର ବିକାଶ ପାଇଁ ଅନୁଧ୍ୟାନ କରିବା ପାଇଁ ଆଜି ନୃସିଂହନାଥ କୁ ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଖୁବ ଶୀଘ୍ର ଏକ ବିଶେଷଜ୍ଞଦଳ ଆସି ସବିଶେଷ ଅନୁଧ୍ୟାନ କରିବେ | ନୃସିଂହନାଥ-ହରିଶଙ୍କର ରୋପୱେ ପାଇଁ ଓ ଟ୍ରେକିଙ୍ଗ ପାଇଁ ଚୂଡାନ୍ତ ପଦକ୍ଷେପ ସହିତ ପାଇକମାଲ ନୃସିଂହନାଥ ରାସ୍ତାର ପ୍ରଶସ୍ତି କରଣ, ନୃସିଂହନାଥ ଠାରେ ଏକ ବିରାଟ ପିକନିକ ସ୍ପଟର ନିର୍ମାଣ ଏକ ସୁନ୍ଦର ଶିଶୁ ଉଦ୍ୟାନ , ତଥା ଏକ ହଜାର ଲୋକଙ୍କର ରାତ୍ର ରହଣି ପାଇଁ ଏକ ସୁନ୍ଦର ଧର୍ମଶାଳାର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବାର ସୂଚନା ରହିଛି । ମନ୍ଦିର କାର୍ଯ ନିର୍ବାହୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ ବାବଦରେ ସୂଚନା ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାଇକମାଲ ନାଗରିକ କମିଟି ର ସଭ୍ୟ ମାନେ ମୁଖ୍ୟ ସଚିବ , 5T ସଚିବ ଓ ବିକାଶ ପରିଷଦର ଅଧ୍ୟକ୍ଷ ଙ୍କର ସହିତ ପାଇକମାଲ ଓ ନୃସିଂହନାଥ ର ବିକାଶ ପାଇଁ କିଛି ଆଲୋଚନା କରିଥିଲେ । ଆଲୋଚନା ସଫଳ ଥିବା କହିଛନ୍ତି ଶ୍ରୀ ବିନୋଦ କାଳିଆ । ଆଜି ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।