ହେଡଲାଇନସ୍:

୮ ଲେନ ବିଶିଷ୍ଟ ହେବ ପାରାଦୀପ ବଡ଼ବିଲ ରାସ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଡ଼କରୀଙ୍କ ସହ ନବୀନଙ୍କ ବୈଠକ : ବିଭିନ୍ନ ସଡକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ କଲେ ଆଲୋଚନା

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଠ  ଲେନ୍ ବିଶିଷ୍ଟ ହେବ  ପାରାଦ୍ୱୀପଠାରୁ ବଡ଼ବିଲ୍ ପର୍ଯ୍ୟନ୍ତ ୩୦୦ କିମି ରାସ୍ତା । ପାରାଦ୍ୱୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରେମୁଳି ଦେଇ ବଡ଼ବିଲ୍ ରେ ସରିବ ଏହି ରାସ୍ତା । ଆଜି ଏ ନେଇ କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ସହ  କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଆଉ ଏ ପ୍ରସ୍ତାବକୁ ଗ୍ରହଣ କରିବା ସହ ପାରାଦ୍ୱୀପ ଠାରୁ ବଡ଼ବିଲ୍ ମଧ୍ୟରେ ଅର୍ଥନୈତିକ କରିଡର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଗଡ଼କରୀ-ନବୀନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗି ମଧ୍ୟ ଉପସ୍ଥିତ ଥିଲେ ।

ପ୍ରସ୍ତାବିତ ପାରାଦ୍ୱୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରରେ ରାଜ୍ୟ ସରକାର ଭାଗିଦାର ହେବାକୁ ଇଚ୍ଛୁକ ଏବଂ ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏହି ପ୍ରକଳ୍ପକୁ ଗମ୍ଭିରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ | ନିୟମିତ ସମୀକ୍ଷା କରି  ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ  ଦେଇଛନ୍ତି ପ୍ରସ୍ତାବ | କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କର ନିୟମିତ ଦୁଇମାସରେ ଥରେ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତି ମାସରେ ଅଫିସରସ୍ତରୀୟ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏତଦବ୍ୟତୀତ ୩୦୦ କିମି ଦୀଘା-ସାତପଡ଼ା କୋଷ୍ଟାଲ୍ ହାଇୱେ ନିର୍ମାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ  ଆନୁସଙ୍ଗିକ ଅନୁମତି ପ୍ରଦାନ କରିସାରିଥିବାରୁ ଏହି ପ୍ରକଳ୍ପ  ତୁରନ୍ତ ଏହା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଅନୁରୋଧକୁ କେନ୍ଦ୍ରମନ୍ତ୍ରୀ  ଗ୍ରହଣ କରିଛନ୍ତି ।

 

ଆଲୋଚନା ସମୟରେ ଏନଏଚ-୨୦ ଅନ୍ତର୍ଗତ ପାଣିକୋଇଲି-ରେମୁଳି ରାସ୍ତା, ୪୩ କିମି ରେମୁଳି-କୋଇଡା ୪ ଲେନିଂ ରାସ୍ତା ଏବଂ ୧୦୪ କିମି ସିଙ୍ଗାରା-ବିଂଜବାହାଲ ଏନଏଚ ପ୍ରକଳ୍ପ ଉପରେ ବି ଆଲୋଚନା ହୋଇଥିଲା |

ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦ୍ୱୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ, ଅମପାଣି-ଜୟପୁର ବିଜୁ ଏକ୍ସପ୍ରେସ୍ ୱେ, ଭୁବନେଶ୍ୱର-ପୁରୀ ଏକ୍ସପ୍ରେସ୍ ୱେ ଏବଂ ରାଇପୁର-ବିଶାଖାପାଟଣା ରାସ୍ତା ଉପରେ ଆଲୋଚନା ହୋଇଥିଲା ।

 

0
0
0
s2sdefault