ପ୍ରେମ ଆନନ୍ଦଙ୍କ ନିଆରା ପ୍ରୟାସ: 15ରୁ ଉର୍ଧ୍ଵ କଣ୍ଠଶିଳ୍ପୀଙ୍କୁ ନେଇ 'ଏ ମାଟି ଓଡିଶା, ଏ ଜାତି ଓଡ଼ିଆ'
ଭୁବନେଶ୍ୱର : ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନୂଆ ବର୍ଷର ନିଆରା ପ୍ରୟାସ | ଏକାଠି ହେଲେ ଓଡ଼ିଆ ସଙ୍ଗୀତର ଆଗଧାଡିର କଣ୍ଠଶିଳ୍ପୀ | ମୁକ୍ତାକାଶ ତଳେ ହେଲା ମ୍ୟୁଜିକ ସିଟିଙ୍ଗ | କମ୍ପୋଜ ହେଲା ଗୀତ | ଆଭିମୁଖ୍ୟ ଥିଲା ନୂଆବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମିଳିତ କଣ୍ଠରେ ଏମିତି ଗୋଟିଏ ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ଏକ ପରିଚୟ ବହନ କରିବ |
ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ ଆଧାର କରି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ନିଆରା ସଂଗୀତ ରଚନା କରିଛନ୍ତି | ଏହି ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠସ୍ଥ ରଙ୍ଗବଜ଼ାର ଠାରେ ଏକତ୍ରିତ ହୋଇଥିଲେ ଓଡ଼ିଶାର 15ରୁ ଉର୍ଧ୍ଵ ପ୍ରମୁଖ କଣ୍ଠଶିଳ୍ପୀ ଓ ଗୀତିକାର | ସେମାନେ ହେଲେ ହୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ ଦାଶ, ସବିଶେଷ ମିଶ୍ର, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର ଓ ବସନ୍ତରାଜ ସାମଲ, ବ୍ୟୁଟିଫୁଲ ଦାସ | ଗୀତିକାର ସୁବ୍ରତ ସ୍ୱାଇଁ, କଣ୍ଠଶିଳ୍ପୀ ଅସୀମ ପଣ୍ଡା ଓ ଦୀପ୍ତିରେଖା ପାଢ଼ୀ ସୁଟିଂ ଓ ରେକର୍ଡିଙ୍ଗ କାରଣରୁ ଏଥିରେ ସାମିଲ ହୋଇପାରି ନଥିଲେ କିନ୍ତୁ ସେମାନେ ଏହି ଗୀତରେ କଣ୍ଠଦାନ କରିବେ | 15ରୁ ଉର୍ଧ୍ଵ କଣ୍ଠଶିଳ୍ପୀଙ୍କ କଣ୍ଠରେ ରେକର୍ଡ ହେବାକୁ ଥିବା ଏହି ଗୀତଟି ହେଉଛି, 'ଶୁଭ ଶଙ୍ଖରେ ହୁଏ ସକାଳ, ସଞ୍ଜବତୀରେ ସନ୍ଧ୍ୟା, ଗାଇ ଜଗାଳି ହୁଏ କହ୍ନେୟା, ଧାନ ସାଉଁଟା ଝିଅ ରାଧା, ଅକ୍ଷିମୁଠିରେ ଖେତ ଆରମ୍ଭ ଲଗ୍ନ ଧରାରେ ବାହା, ବାଆ ବତାସ ଆସିଲେ ହୁଏ ଶ୍ରୀଜଗନ୍ନାଥ ସାହା, ଅରୁଆ ଚାଉଳ ଦୁବ, ଅତିଥି ଦେବ ଭଵ, ମନଟା ଆମ ମହାପ୍ରସାଦ ପ୍ରେମ ନିର୍ମାଲ୍ୟ ପୁଡିଆ, ଏ ମାଟି ଓଡିଶା ଏ ଜାତି ଓଡ଼ିଆ.. |' ଓଡିଶାର ପରିଚୟକୁ ପ୍ରତିପାଦିତ କରୁଥିବା ଏହି ବିଶେଷ ଗୀତଟିକୁ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ |
ଆଗରୁ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଏପରି କେବେ ଘଟି ନାହିଁ | ଗୋଟିଏ ଗୀତରେ 15ରୁ ଉର୍ଧ୍ଵ କଣ୍ଠଶିଳ୍ପୀ କଣ୍ଠଦାନ କରିବା ନିଶ୍ଚିତ ଭାବରେ ଏକ ବିରଳ ରେକର୍ଡ | ଏଥିପାଇଁ ସମସ୍ତ ଶ୍ରେୟ ଯିବ ମ୍ୟୁଜିକ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କୁ | ବାଛି ବାଛି ସେ ଯୁବ କଣ୍ଠଶିଳ୍ପୀଙ୍କୁ ନେବାର ଏକମାତ୍ର କାରଣ ହେଉଛି ଓଡ଼ିଆ ସଙ୍ଗୀତ ତଥା ଓଡ଼ିଶାର ଭବିଷ୍ୟତ ଏବେ ଏମାନଙ୍କ ହାତରେ | ଆଗାମୀ ବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ସାଢେ ଚାରିକୋଟି ଓଡ଼ିଆଙ୍କ ଉଦ୍ଦେଶ୍ୟରେ ଏହି ଗୀତଟିକୁ ଉତ୍ସର୍ଗ କରାଯିବ |