ସ୍କୁଲ ଖୋଲିବା ପରେ କୋରୋନା ପଜିଟିଭ ବୋଲି ଚିହ୍ନଟ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) : କୋରୋନା ସଂକ୍ରମଣର ଭୟ ଯୋଗୁଁ ଦୀର୍ଘ ୯ ମାସ ବନ୍ଦ ରହିଲା ସମସ୍ତ ଶିକ୍ଷାନୁଷ୍ଠାନ।ପିଲାଛୁଆଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଲା। ମାତ୍ର ଆଗକୁ ବୋର୍ଡ ପରୀକ୍ଷାକୁ ଧ୍ୟାନରେ ରଖି ସରକାର ଏକ ଦୁଃସାହସିକ ପଦକ୍ଷେପ ଗ୍ରହଣ କଲେ। ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଖୋଲାଗଲା। ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ଅଭିଭାବକ, ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଗଲା। କାଁ ଭାଁ ଗୋଟିଏ ଅଧେ ଅବହେଳାର ଘଟଣା ଯଦିବା ସାମନାକୁ ଆସୁଛି, ଅଧିକାଂଶ ସ୍ଥାନରେ ନିୟମଗୁଡ଼ିକୁ ବେଶ କଡ଼ାକଡ଼ି ଭାବରେ ପାଳନ କରିବା ଦୃଷ୍ଟିଗୋଚର ହେଉଛି। ବିଭାଗୀୟ ଅଧିକାରୀମାନେ ମଧ୍ୟ ପ୍ରାୟତଃ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନରେ କୌଣସି ଅବହେଳା କରୁ ନାହାଁନ୍ତି। ତଥାପି କୋରୋନା ସଂକ୍ରମଣର ଘଟଣା ଘଟୁଛି ଏଥିରେ ସନ୍ଦେହ ନାହିଁ। ନିକଟରେ ଗଜପତି ଜିଲ୍ଲାରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ କୋରୋନା ପଜିଟିଭ ଘଟଣା ଚିନ୍ତାର ବିଷୟ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ କିଛି ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ଖବର ଆସିଛି।
ସୂଚନା ଅନୁଯାୟୀ, ଲଇକେରା ବ୍ଲକର ତିନୋଟି ବିଦ୍ୟାଳୟରୁ ୧୯ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଲଇକେରା ବିଇଓ ଶ୍ରୀ ପ୍ରଦୀପ୍ତ କୁମାର ସାଙ୍କ କହିବା ଅନୁସାରେ ସାଲହେଟିକ୍ରା ଉଚ୍ଚ ବିଦ୍ୟାଳୟର ୨ ଜଣ ଗତ ୧୦ ତାରିଖରେ କୋରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ୧୧ ତାରିଖରେ ସାହାସପୁର ଉଚ୍ଚ ବିଦ୍ୟାଳୟରୁ ୯ ଜଣ ଛାତ୍ରଛାତ୍ରୀ, ପାକେଲଖୋଲର ହେମସାଗର ଉଚ୍ଚ ବିଦ୍ୟାଳୟରୁ ଆଜି ଅର୍ଥାତ୍ ୧୩ ତାରିଖରେ ୮ ଜଣ ଛାତ୍ରଛାତ୍ରୀ ପଜିଟିଭ ଥିବା ଜଣାପଡ଼ିଛି। ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୯ ମାସ ପରେ ଶିକ୍ଷାନୁଷ୍ଠାନମାନଙ୍କୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ୮ ତାରିଖରୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆଗକୁ ଯଦି ଏହିପରି କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲେ,ତେବେ ତାହା ନିଶ୍ଚିତ ଭାବେ ସରକାର ଓ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହେବ।