-ମୟୂରଭଞ୍ଜରେ ପହଞ୍ଚିଲା କରୋନା ଟୀକା
-ପ୍ରଥମ ପର୍ଯ୍ୟାୟରେ ଆସିଲା ୧୧ହଜାର ୯ଶହ ଡୋଜ୍
-୧୦ଟି ସ୍ଥାନରେ ହେବ ଟୀକାକରଣ
-୧୮ହଜାରରୁ ଊଧ୍ବ ସ୍ବାସ୍ଥ୍ୟକର୍ମୀ ପାଇବେ ପ୍ରଥମ ପର୍ଯ୍ୟାୟ ଟୀକା
-ଜିଲ୍ଲା ଟୀକା ଭଣ୍ଡାରରେ ସଂରକ୍ଷିତ କରି ରଖାଗଲା
ବାରିପଦା(ଦିଲ୍ଲୀପ ମହାନ୍ତି) : ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିଛି କରୋନା ଟୀକା। ସିଡିଏମଓ ଡ. ରୂପଭାନୁ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଟୀକା ନେଇ ଆସିଥିବା ଗାଡିକୁ ସ୍ବାଗତ କରାଯାଇଥିଲା। ପ୍ରଥମ ଦଫାରେ ଜିଲ୍ଲାକୁ ୧୧ହଜାର ୯୦୦ ଡୋଜ୍ ଟୀକା ଆସିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ତିନି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ପିଆରଏମ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବିଜାତଳା, ଠାକୁରମୁଣ୍ଡା, ଯଶୀପୁର, କପ୍ତିପଦା, ଉଦଳା ପ୍ରଥାମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଦେବେନ୍ଦପୁର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଭଳି ୧୦ଟି ପ୍ରମୁଖ ସ୍ଥାନରେ ଟୀକାକରଣ କରାଯିବା ନିମନ୍ତେ ସ୍ଥିର ହୋଇଛି। ଚଳିତ ମାସ ୧୬ ତାରିଖ ଦିନ ଜିଲ୍ଲାରୁ ଟୀକାକରଣ ଆରମ୍ଭ ହେବ। ପ୍ରଥମ ଦିନରେ ଏହି ୧୦ଟି ସ୍ଥାନରେ ୧୦୦ ଜଣ କରି ଏକ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯିବାନେଇ ସିଡିଏମଓ ଡ. ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ନିମନ୍ତେ ୧୮ହଜାର ୪୨୪ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରାଯାଇଛି। ଆଜି ଜିଲ୍ଲାକୁ ଆସିଥିବା ଟୀକାକୁ ଜିଲ୍ଲା ଟୀକା ଭଣ୍ଡାରରେ ସଂରକ୍ଷିତ କରି ରଖାଯାଇଛି। ଜିଲ୍ଲାରେ ଟୀକା ପହଞ୍ଚିବା ପରେ ଖୁସିର ଲହରି ଖେଳି ଯାଇଛି।
ଆଜି ସନ୍ଧ୍ୟାରେ କରୋନା ଟୀକା ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ଗାଡ଼ିରୁ ଓହ୍ଲାଇ ଟୀକାକୁ ଟୀକା ଭଣ୍ଡାରକୁ ନେବା କାମରେ ନିୟୋଜିତ ଥିବା ଜଣେ ଶ୍ରମିକ ଟୀକାକୁ ବାହାର କରୁଥିବା ବେଳେ ପ୍ରଥମେ ମୁଣ୍ଡରେ ଲଗେଇ ନମସ୍କାର କରିଥିବା ଦେଖାଯାଇଥିଲା। କରୋନାର କରାଳ କାୟାରୁ ଏହି ଟୀକା ମହୌଷଧୀ ଭଳି ସଂଜୀବନୀ ସାଜିବାକୁ ଥିବାରୁ ଏହାକୁ ମୁଣ୍ଡିଆ ମାରିଥିବା ଜଣାପଡ଼ିଛି। ଏହି ଟୀକା ପ୍ରତି ସାଧାରଣ ଲୋକଙ୍କ ରହିଥିବା ବିଶ୍ବାସ ଓ ଭରସା ଏହା ପ୍ରମାଣିତ କରୁଛି।