ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର:ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।
କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ରଶ୍ମିତା ଟପ୍ପୋଙ୍କ ସଞ୍ଚାଳନରେ ଆୟୋଜିତ କୃଷି ଓ ମୃତ୍ତିକା ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଟିର ଉର୍ବରତାକୁ ସୁରକ୍ଷିତ ରଖିବା ପାଇଁ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ କରିବା ଉପରେ ଉପସ୍ଥିତ ଚାଷୀଭାଇ ମାନଙ୍କୁ ଆହ୍ବାନ କରିଥିଲେ ।
ଜିଲ୍ଲା କୃଷି ଉଦ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ କେ:ସୁଦର୍ଶନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାଟିରେ ରହିଥିବା ବିଭିନ୍ନ ଖାଦ୍ୟସାର ଏବଂ ସମନ୍ୱିତ ଖାଦ୍ୟସାର କିଭଳି ପରିଚାଳନା କରିବାକୁ ହୋଇଥାଏ , ସେ ସମ୍ପର୍କରେ ବୁଝାଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରାମଗୁରୁ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ବିଭିନ୍ନ ପ୍ରଣାଳୀ ଯଥା:- ବୃକ୍ଷ ରୋପଣ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରାଯିବାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝି , ସମିତିସଭ୍ୟ ନବୀନ ରଇତ , ସଭ୍ୟ କିଶୋର ଚନ୍ଦ୍ର ଗୌଡ଼ , 'ଆତ୍ମା'ର ଅଧିକାରୀ , ଆର:ଉଦୟଗିରି-ମୋହନା-ନୂଆଗଡ଼ ବ୍ଲକର କୃଷି ଅଧିକାରୀ ଗଣ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଇଥିଲେ ।
ଏହାପରେ ଆୟୋଜିତ ବୈଷୟିକ ଅଧିବେଶନ କାର୍ଯ୍ୟକ୍ରମରେ ମାଟିର ଉପାଦାନ , ସଂରଚନା , ଖାଦ୍ୟସାର ପରିଚାଳନା , ମାଟିର ସ୍ୱାସ୍ଥ୍ୟ ଓ ତାର ସୁରକ୍ଷା ସମେତ ମାଟିର ଜୈବ-ବିବିଧତା ଏଭଳି ବିଭିନ୍ନ ମୃତ୍ତିକା ସମ୍ଭନ୍ଧୀୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦକ୍ଷତା ତାଲିମ ଶିବିର ପ୍ରତିଯୋଗିତାର କୃତି ଯୁବଚାଷୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।