ଲୋଇସିଂହା (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ ସଦସ୍ୟଙ୍କୁ ଘର ମିଳିଛି । କେଉଁଠି ଅବିବାହିତ ନାବାଳକ ପୁଅକୁ ଘର ମିଳୁଛି ତ କେଉଁଠି ଏହି ଯୋଜନାରେ ଦ୍ଵିତଲ ପ୍ରସାଦ ତିଆରି ହେଉଛି । ତେବେ ଟଙ୍କା ଦେଇ ନ ପରିବାରୁ ଜନୈକ ହିତାଧିକାରୀଙ୍କ ଫାଇନାଲ ବିଲ ଅଟକି ଯାଇଥିବା ଭଳି ଆଉ ଏକ ଗୁରୁତର ଅଭିଯୋଗ ଆସିଛି ବ୍ଳକର ଉପାନ୍ତ ଅଂଚଳରୁ ।
ଅଭିଯୋଗ ମୁତାବକ, ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ରତାଖଣ୍ଡି ପଂଚାୟତ ଅଧିନ ତାଳଜୁରୀ ଗ୍ରାମର ସର୍ବେ ସାହୁ ଚଳିତ ବର୍ଷ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ । ଆଶା ଥିଲା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ତିଆରି କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ପାଇବେ । ତେବେ ପଂଚାୟତ ଠାରୁ ବ୍ଲକ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ପିସି କାରବାରରେ ସାମିଲ ଥିବା କର୍ମଚାରୀଙ୍କ ଚକ୍ରବ୍ୟୁହ ମଧ୍ୟରେ ସର୍ବେ ଫସି ଯାଇଥିଲେ । ରତାଖଣ୍ଡି ପଂଚାୟତର ଜିଓ ଟେଗଙ୍କୁ ଟଙ୍କା ଦେଇ ନ ପରିବାରୁ ତାଙ୍କ ଫାଇନାଲ ବିଲ ଅଟକି ଯାଇଥିବା ସର୍ବେ ଅଭିଯୋଗ କରିଛନ୍ତି । ନିର୍ମାଣାଧୀନ ଆବାସ ଘର ଫଟୋ ଉଠାଇବା ପାବଦରେ ଥରକେ ଜଣକ ଠାରୁ ଜିଓଟେଗ ୫ ଶହ ଟଙ୍କା ନେଉଥିବା ବେଳେ ସର୍ବେ ସାହୁ ମଧ୍ୟ ଆଠଶହ ଟଙ୍କା ଦେଇ ସାରିଥିବା ପ୍ରକାଶ କରିଛନ୍ତି । ଅଧିକ ୫ ହଜାର ଟଙ୍କା ସେ ଦେବାରେ ଅସମର୍ଥ ହେବାରୁ ତାଙ୍କ ଚୂଡାନ୍ତ ବିଲ ଅଟକି ରହିଥିବା ସର୍ବେ ସାହୁ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତଥାପି ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାଯାଇଛି । ଅପରପକ୍ଷରେ ଜିଓଟେଗ ଶ୍ରୀ ନାଏକଙ୍କ ଜରିଆରେ ପଂଚାୟତ ଠାରୁ ବ୍ଲକ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ପିସି ବାବଦରେ ଟଙ୍କା ଯାଉଥିବା ସର୍ବେ ଅଭିଯୋଗ କରିଛନ୍ତି । ଅଭିଯୋଗ ଗୁରୁତର, ଅଭିଯୋଗ ଯଦି ସତ୍ୟ ହୋଇଥାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିହାତି ଆବଶ୍ୟକ |
ଏ ବାବଦରେ ଜିଓଟେଗ ଶ୍ରୀ ସାହୁଙ୍କୁ ପଚାରିବାରେ ଫାଇଲ ଲାଗିଛି, ଖୁବ ଶୀଘ୍ର ଟଙ୍କା ଜମା ହୋଇଯିବା ବୋଲି ସେ ପ୍ରକାଶ କରିଥିଲେ । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଜମାଖାତାରେ ଫାଇନାଲ ବିଲ ବାବଦ ପ୍ରାପ୍ୟ ପଡି ସାରିଥିବା ପ୍ରକାଶ କରିଥିଲେ । ହେଲେ ଶୁଣିବାକୁ ମିଳୁଛି ଯେ ବିଲ ଏ ପର୍ଯ୍ୟନ୍ତ ପଡ଼ିନାହିଁ l