ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି ଅବସରରେ ନିଜର ଉଦବୋଧନରେ ଜିଲ୍ଲାପାଳ ଶ୍ରୀ ସାମଲ ମାଟିର ସଂରକ୍ଷଣର ଆବଶ୍ୟକତା ତଥା ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ବ ପ୍ରଦାନ କରିବା ସହ ମାଟିର ସୁପରିଚାଳନା ଓ ଖାଦ୍ୟର ଗୁଣାତ୍ମକମାନକୁ ସଂରକ୍ଷିତ କରି ରଖିବା ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ। ଏଥିପାଇଁ ଚାଷୀମାନେ ମାଟିର ସୁରକ୍ଷା ଓ ସାରର ସଠିକ ଉପଯୋଗ ଉପରେ ପ୍ରଶିକ୍ଷିତ ହେବାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପରାମର୍ଶ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ପଙ୍କଜିନୀ ପ୍ରଧାନ , ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଚାଷୀମାନେ ଅଧିକ ଅମଳ ପାଇଁ କୃଷି ବୈଜ୍ଞାନିକ ଓ କୃଷି ଅଧିକାରୀମାନଙ୍କ ପରାମର୍ଶ ନେବାକୁ ଶ୍ରୀ ଭୋଇ କହିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ "ଆତ୍ମା"ର ବିଜୟ କୁମାର ରଥ ମୃତ୍ତିକା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାମଲ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଝାରସୁଗୁଡ଼ା ମୃତ୍ତିକା ପରୀକ୍ଷାଗାରର ମୃତ୍ତିକା ରସାୟନବିତ ତିଳୋତ୍ତମା ମହାକୁଡ଼ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ସହ ଜୈବିକ ସାର ପ୍ରୟୋଗ ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ବୈଜ୍ଞାନିକ ଜ୍ୟୋତିର୍ମୟୀ ଉଦଗାତା ମାଟିର ଗୁଣାବଳୀ,ଉର୍ବରତା ଓ ଉପକାରୀ ଅଣୁଜୀବ ସମ୍ପର୍କରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମତ୍ସ୍ୟ ବିଭାଗ , ଉଦ୍ୟାନ କୃଷି ବିଭାଗ ଆଦି ବିଭାଗୀୟ ଅଧିକାରୀ ସମ୍ପୃକ୍ତ ବିଭାଗର ଯୋଜନା ସମ୍ପର୍କରେ ଆଲୋଚନା କରି ଏହି ଯୋଜନା ଦ୍ୱାରା ଚାଷୀମାନେ କିପରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଉପ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଝାରସୁଗୁଡ଼ା ବ୍ଲକ କୃଷି ଅଧିକାରୀ ନୀଳମଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।