ଝାରସୁଗୁଡ଼ା :(ସୁଭାଷ ସହାରେ) :ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପାଠ୍ୟପୁସ୍ତକରେ ବନ୍ଦେ ଉତ୍କଳ ଜନନୀ ସାମିଲ କରାଯିବ। ମାତ୍ର ପଶ୍ଚିମ ଓଡ଼ିଶାରେ ଏହାକୁ ନେଇ ବିରୋଧର ସ୍ବର ଠିଆ ହୋଇ ଯାଇଛି। ଏହା ପୂର୍ବ ଓଡ଼ିଶାବାସୀଙ୍କ ଦ୍ବାରା କୋଶଳବାସୀଙ୍କ ଉପରେ ବାଧ୍ୟତାମୂଳକ ଭାବରେ ଲଦି ଦିଆଯାଉଛି ବୋଲି ଅଭିଯୋଗ କରି କୋଶଳ ରାଜ୍ୟ ସମନ୍ବୟ କମିଟି ଏହା ବିରୋଧରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ କୋଶଲ ରାଜ୍ୟ ସମନ୍ବୟ କମିଟିର କର୍ମକର୍ତ୍ତାମାନେ।ଆଡଭୋକେଟ ଶ୍ରୀ ନାରାୟଣ ମହାପାତ୍ର କହିଛନ୍ତି,କୋଶଲ କେବେ ହେଲେ ଉତ୍କଳର ଅଂଶ ନ ଥିଲା। କଳିଙ୍ଗ, ଉତ୍କଳ ଓ କୋଶଳକୁ ନେଇ ଗଠିତ ହୋଇଥିବା ଓଡ଼ିଶାରେ କୋଶଲକୁ ସବୁବେଳେ ଅବହେଳା କରାଯାଇଛି। ଏହାର ଇତିହାସ, ସଂସ୍କୃତି ଓ ପ୍ରାକୃତିକ ସଂପଦାକୁ ଲୁଟିନେବା ପାଇଁ ମସୁଧା କରାଯାଇଛି। କୋଶଲର ନିଜର ପରିଚୟକୁ ଶେଷ କରି ଦିଆଯିବାକୁ ଯେଉଁ ଚେଷ୍ଟା ଚାଲିଛି, ତାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। କୋଶଲବାସୀ ବନ୍ଦେ ଉତ୍କଳ ଜନନୀକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସେ ରୋକଠୋକ ଜଣାଇ ଦେଇଥିଲେ ।
ସେହିପରି ଆଦିବାସୀ ଓ କୃଷକ ନେତା, କୋଶଲ ରାଜ୍ୟ ସମର୍ଥକ ବୁନ୍ଦେ ଧରୁଆ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦେଶରେ ଏକ ଜାତୀୟ ସଂଗୀତ ଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ପାଠ୍ୟପୁସ୍ତକରେ ସାମିଲ କରି ସମସ୍ତଙ୍କୁ ଏହା ଗାନ କରିବାକୁ ବାଧ୍ୟ କରିବା ସମ୍ବିଧାନ ବିରୋଧୀ ଅଟେ। ଏହିପରି ପ୍ରୟାସକୁ ଆଦୌ ସମର୍ଥନ କରାଯିବ ନାହିଁ ବୋଲି ସେ ଜଣାଇଛନ୍ତି।







