ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): କାର୍ତିକମାସ ବଡ ଏକାଦଶୀ ପଂଚୁକ ପର୍ବର ପ୍ରଥମ ଦିବସରେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଗଜଉଦ୍ଧାରଣ ବେଶକୁ ଦର୍ଶନ ପାଇଁ ଗୋଟିଏ ବର୍ଷ ଚାହିଁ ରହିଥିବା ବେଳେ କରୋନା କଟକଣା କାରଣରୁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ସେଥିରୁ ବଂଚିତ ହୋଇଛନ୍ତି । ପାଳିଆ ସେବକ ଶ୍ରୀଜିଉ ମାନଙ୍କୁ ଗଜଉଦ୍ଧାରଣ ବେଶରେ ସଜ୍ଜିତ କରାଇବା ପରେ ସନ୍ଧ୍ୟା ୬ଟାରେ ମନ୍ଦିର ଦ୍ୱାର ଫିଟା ହୋଇଥିଲା । ଜଳ, ଚନ୍ଦନ, ତୁଳସୀ, ଫୁଲମାଳ ଓ ସନ୍ଧ୍ୟାଭୋଗ ଲାଗି ପରେ କର୍ପୁର ଆଳତୀ, ବନ୍ଦାପନା, ମହାଆଳତୀ, ଚାମର, ଆଲଟ ସେବା ଲାଗି ହୋଇଥିଲା । ପୌରାଣିକ ତଥ୍ୟ ଆଧାରରେ କୁମ୍ଭୀର ଦାଉରୁ ରକ୍ଷା କରିବା ପାଇଁ ଗଜରାଜ ଆତୁର କଣ୍ଠରେ ପ୍ରଭୁଙ୍କୁ ସୁମରଣା କରିଥିଲେ । ଭକ୍ତ ଗଜରାଜଙ୍କ ପ୍ରାର୍ଥନା ନାରାୟଣଙ୍କ କର୍ଣ୍ଣ ଗୋଚର ହୋଇଥିଲା । ଭକ୍ତଙ୍କୁ ମହାବିପତ୍ତିରୁ ଉଦ୍ଧାରିବା ପାଇଁ ବୈକୁଣ୍ଠ ପୁରରୁ ଗରୁଡ ବାହାନରେ ମା’ ଲକ୍ଷ୍ମୀଙ୍କ ସହିତ ମର୍ତ୍ୟପୁରକୁ ପ୍ରଭୁ ଓହ୍ଲାଇ ଆସିଥିଲେ । ସୁଦର୍ଶନ ଚକ୍ର ଦ୍ୱାରା କୁମ୍ଭୀରର ମସ୍ତକ ଛେଦନ କରି ଭକ୍ତ ଗଜରାଜକୁ ରକ୍ଷାକରି ଥିଲେ । ଏହି ଦିବ୍ୟ ଦୃଶ୍ୟକୁ ନିକଟରୁ ଦେଖିବାର ସୁଯୋଗ ପାଇନଥିଲେ ମଧ୍ୟ କେତେକ ଶ୍ରଦ୍ଧାଳୁ ସିଂହ ଦୁଆରେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ପାଳିଆ ପଣ୍ଡା, ପୂଜକ ପରିଷଦର କର୍ମକର୍ତା ଓ ମନ୍ଦିର ପରିଚାଳକଙ୍କ ଦ୍ୱାରା ଶୃଙ୍ଖଳାର ସହିତ ସମସ୍ତ ନୀତି କାର୍ଯ୍ୟ ସଂପାଦନ ହୋଇଥିଲା ।