ହେଡଲାଇନସ୍:

ଲଖନପୁର ବ୍ଲକକୁ ସବଡିଭିଜନ ଘୋଷଣା ସହିତ ତିନୋଟି ବ୍ଲକରେ ଭାଗ କରିବାକୁ ଦାବି ନେଇ ଧାରଣା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) =ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଏକ ବଡ଼ ବ୍ଲକ ଅଟେ। ବର୍ତ୍ତମାନ ଏହି ବ୍ଲକକୁ ଭାଗ କରି ତିନୋଟି ବ୍ଲକ କରିବାକୁ ଏବଂ ଲଖନପୁର ତହସିଲଦାର ସବଡିଭିଜନ ମାନ୍ୟତା ଦାବୀ କରି ଧାରଣାରେ ବସିଛନ୍ତି ଲଖନପୁର ନାଗରିକ ପରିଷଦ। 

ଧାରଣାରେ ସାମିଲ ହୋଇଥିବା ଲଖନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌତମ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ୩୩ଟି ପଞ୍ଚାୟତ ରହିଛି ଏବଂ ଏହାର ଲୋକସଂଖ୍ୟା ପାଖାପାଖି ୧ ଲକ୍ଷ ୬୦ ହଜାର। ବ୍ଲକ ହେଡକ୍ବାରଟରରୁ ଅନେକ ସ୍ଥାନର ଦୂରତା ୬୦ କିମି କିମ୍ବା ତଦୁର୍ଦ୍ଧ। ତେଣୁ ବ୍ଲକ କାର୍ଯ୍ୟାଳୟ ଉପରେ କାର୍ଯ୍ୟର ବୋଝ ଅନେକ ବଢ଼ିଯିବା ସହ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ମଧ୍ୟ ଠିକ ଭାବରେ ହୋଇପାରୁ ନାହିଁ ବୋଲି ସେ ମତ ଦେଇଛନ୍ତି। ଏହାଛଡ଼ା ଲଖନପୁର ତହସିଲ ଅଞ୍ଚଳକୁ ମଧ୍ୟ ସବଡିଭିଜନ ମାନ୍ୟତା ଦାବୀ କରିଛି ପରିଷଦ। ଗତ ୮୦ ଦଶକରୁ ଏହି ଦାଵୀ ଏଠାକାର ଲୋକେ କରି ଆସୁଛନ୍ତି। ଲୋକଙ୍କ ସୁବିଧା ନିମନ୍ତେ ସରକାର ଏହି ଦାବୀକୁ ମାନିବା ପାଇଁ  ଶ୍ରୀ ପ୍ରଧାନ ଦାବୀ କରିଛନ୍ତି। 

ସୂଚନା ମୁତାବକ, ଏହି ଧାରଣା ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବୀପତ୍ର ଦେବା ସହ ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ଏବଂ ତୃତୀୟ ପର୍ଯ୍ୟାୟରେ ଯେତେଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ପରିଷଦର ସଦସ୍ୟ ରଘୁନନ୍ଦନ ପଣ୍ଡା କହିଛନ୍ତି। ସେହିପରି ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି। ତାଙ୍କ ମତରେ ଲଖନପୁର ପଞ୍ଚାୟତ ଝାରସୁଗୁଡ଼ାର ତିନୋଟି ବ୍ଲକକୁ ଯୋଡ଼ିଦେଲେ ମଧ୍ୟ ବଡ଼ ଅଟେ। ମାତ୍ର ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏହା ଅନ୍ୟାନ୍ୟ ବ୍ଲକ ଭଳି ହିଁ ସହାୟତା ପାଉଛି। ତେଣୁ ସରକାର ଏହି ବ୍ଲକକୁ ତିନୋଟି ଭାଗ କରନ୍ତୁ ନଚେତ୍ ଆର୍ଥିକ ସହାୟତା ବୃଦ୍ଧି କରନ୍ତୁ। ଅତଏବ ଯେତେଦିନ ପର୍ଯ୍ୟନ୍ତ ଏହାକୁ ଭାଗ ନ କରାଯାଏ, ସେତେଦିନ ପର୍ଯ୍ୟନ୍ତ ଏହି ବ୍ଲକର ଉନ୍ନତି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। 

ବର୍ତ୍ତମାନ ସୁଦ୍ଧା ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଛନ୍ତି। ଦେଖାଯାଉ ଆଗାମୀ ସମୟରେ ସରକାର ଲୋକଙ୍କ ଦାବୀକୁ କେତେ ଗୁରୁତ୍ବ ଦେଉଛନ୍ତି।

0
0
0
s2sdefault