ହେଡଲାଇନସ୍:

ଝାରସୁଗୁଡ଼ା ଏୟାରପୋର୍ଟ ଅଥରିଟି ଦ୍ବାରା ଘରୋଇ ଟ୍ୟାକ୍ସି ଚଳାଚଳ ପାଇଁ ନୂତନ ନିୟମ। ବିରୋଧ କଲେ ଓଡ଼ିଶା ମୋଟର ଚାଳକ ସଂଘ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଘରୋଇ ଟ୍ୟାକ୍ସି ଚାଳକ ମାନଙ୍କ ପାଇଁ ଯାତ୍ରୀମାନଙ୍କଠାରୁ ନେଉଥିବା ଦରକୁ ସ୍ଥିର କରିବା ଓ କୋଭିଡ ୧୯ର କଟକଣା ନିମନ୍ତେ ବିମାନବନ୍ଦରଠାରେ ସୀମିତ ସଂଖ୍ୟାରେ ଗାଡ଼ି ରଖିବା ନେଇ ନୂତନ ନିୟମ ପ୍ରଣୟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିମାନ ବନ୍ଦରରୁ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ଭଡ଼ା ସ୍ଥିର କରାଯାଇଛି। କିନ୍ତୁ ବିମାନବନ୍ଦରର ଏପରି ପଦକ୍ଷେପକୁ ଓଡ଼ିଶା ମୋଟର ସଂଘର ଭିଏସଏସ ଏୟାରପୋର୍ଟ ଟ୍ୟାକ୍ସି ସେବା ସଂଘ ଶାଖା ନାପସନ୍ଦ କରିଛି। 

ସଂଘ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟ ଟ୍ୟାକ୍ସି ଚାଳକ ଓ ମାଲିକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଗତ ୧୦/୧୧/୨୦୨୦ଠାରୁ କର୍ତ୍ତୃପକ୍ଷ ସ୍ଥାନୀୟ ଟ୍ୟାକ୍ସି ଚାଳକମାନଙ୍କୁ ବିମାନବନ୍ଦରଠାରୁ ଯାତ୍ରୀମାନଙ୍କୁ ନେବା ଆଣିବା ଉପରେ କଟକଣା ଲଗାଇଛନ୍ତି। ଟ୍ୟାକ୍ସି ଚାଳକମାନେ ପ୍ରତି ମାସରେ ବିମାନବନ୍ଦର ପାର୍କିଂଠାରେ ଏୟାରପୋର୍ଟ ଫିସ ବାବଦରେ ୧୨୦୦ ଟଙ୍କା ଓ ପ୍ରତ୍ୟେକ ଭଡ଼ା ବାବଦରେ ୨୦ ଶତକଡ଼ା ଯଥାକ୍ରମେ ପାର୍କିଂ ଠିକାରେ ନେଇଥିବା ସାବିତ୍ରୀ ଏଣ୍ଟରପାଇଜର୍ସ ଓ ସାଣ୍ଡ ପିପୁଲ କମ୍ପାନୀଗୁଡ଼ିକୁ ଦେଇଥାନ୍ତି। ନଭେମ୍ବର ମାସର ପାର୍କିଂ ଫି ନେବା ସତ୍ତ୍ୱେ ସ୍ଥାନୀୟ ଟ୍ୟାକ୍ସିମାନଙ୍କୁ ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ କୋଭିଡ ସମୟରେ ଏୟାରପୋର୍ଟରେ ଗାଡ଼ି ଚଳାଇବା ପାଇଁ ଅନୁମତି ସକାଶେ ସ୍ଥାନୀୟ ଏମଭିଆଇଙ୍କ ପାଖରେ ଧାର କରଜ କରି ହଜାର ହଜାର ଟଙ୍କା ଜମା କରି ପଞ୍ଜିକୃତ କରିଥିଲେ। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଏପରି ମନମୁଖୀ ଓ ଏକଚାଟିଆ କାର୍ଯ୍ୟ ବିରୋଧରେ ସଂଘ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କ ପାଖରେ ଅଭିଯୋଗ ଆଣିଥିଲେ। ଶ୍ରୀ ଦାସ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ନାପସନ୍ଦ କରିଥିବା ବେଳେ ଶ୍ରୀ ପୂଜାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସଂଘ ଏହାକୁ ନେଇ ଆସନ୍ତା କାଲି ବିମାନବନ୍ଦର ସମ୍ମୁଖରେ ସକାଳ ୯ଟାରୁ ଏକ ୧୨ ଘଣ୍ଟିଆ ଧାରଣା ଦେବେ ବୋଲି ସଂଘର ରାଜ୍ୟ ଉପ ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ଚୈତନ୍ୟ ସାହାଣୀ ଓ ଓଡ଼ିଶା ମୋଟର ଚାଳକ ସଂଘର ଝାରସୁଗୁଡ଼ା ସଭାପତି ଯତୀନ୍ଦ୍ର ସାହୁ ଜଣାଇଛନ୍ତି।

0
0
0
s2sdefault