ହେଡଲାଇନସ୍:

ପାଠ୍ୟପୁସ୍ତକରେ ଗୋଣ୍ଡୱାନା ଇତିହାସ ସାମିଲ କରିବାକୁ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭା କଲା ଦାବି।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସ୍ତରୀୟ ମହାସଭା ଝାରସୁଗୁଡ଼ାର କାପୁମାଲରେ ଅନୁଷ୍ଠିତ ହୋଇଯାଇଛି। ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଗୋଣ୍ଡୱାନା ସମାଜ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ମହାସଭାରେ ରାଜ୍ୟର ୨୦ଟି ଗୋଣ୍ଡବହୁଳ ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ। 

ଏହି ସଭାରେ ଗୋଁଣ୍ଡ ସମାଜର ବିଭିନ୍ନ ସମସ୍ୟା ଓ ଦାବୀ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରଚଳିତ ଇତିହାସ ଓ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ମାନଚିତ୍ରରେ  ଗୋଣ୍ଡୱାନା ସ୍ଥାନ ପାଇଥିଲେ ସୁଦ୍ଧା ଏହାର ଇତିହାସକୁ ସାମିଲ କରାଯାଇ ନଥିବାରୁ ଏହି ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ତେଣୁ ଆଗାମୀ ସମୟରେ ଗୋଣ୍ଡୱାନା ଇତିହାସକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି କରାଯାଇଛି। ଏତଦବ୍ୟତୀତ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକ ତଥା ସମ୍ବଲପୁର ଜିଲ୍ଲାର ଜୁଜୁମୋରା ବ୍ଲକକୁ ଆଇଟିଡିଏ ଭାବରେ ଘୋଷଣା, ରାଜ୍ୟରେ ଅନୁସୂଚିତ ଜନଜାତି କମିଶନ ଗଠନ, ପେଶା ଆଇନକୁ ମାଡା (MADA) ଗ୍ରାମ ଓ ଗ୍ରାମପଞ୍ଚାୟତ ତଥା ସମସ୍ତ ଅନୁସୂଚିତ ଅଞ୍ଚଳରେ ଲାଗୁ, ଏକକ ଶିକ୍ଷାନୀତି ପ୍ରଚଳନ, ରାଜ୍ୟ ସରକାରଙ୍କ ଚଉଦ ହଜାର ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତିକୁ ରଦ୍ଦ ପାଇଁ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବିଜ୍ଞପ୍ତିକୁ ରଦ୍ଦ କରିବାକୁ, ସୁପ୍ରିମକୋର୍ଟଙ୍କ ଏଟ୍ରୋସିଟି ଆକ୍ଟ ଉପରେ ସଦ୍ୟ ଦିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଦ୍ବାରା ବିରୋଧ କରିବା ଆବେଦନ କରିବାକୁ ଦାବି କରାଯାଇଛି। ଏହା ବ୍ୟତୀତ ଗୋଣ୍ଡ ସଂପ୍ରଦାୟର ପୁଅଝିଅ ବାହାଘରର ଏକକ ପ୍ରମାଣପତ୍ର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ଏହି ସଭାକୁ ମହାସଚିବ ପ୍ୟାରୀମୋହନ ନାୟକ ଓ ମୀନକେତନ ମାଝୀ ପରିଚାଳନା କରିଥିଲେ। ଏହା ବ୍ୟତୀତ ରାଜ୍ୟ ସଭାନେତ୍ରୀ ସୁକାନ୍ତିବାଳା ନାୟକ ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧି ଉପସ୍ଥିତ ଥିଲେ।

0
0
0
s2sdefault