ଅଜ୍ଞ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିନ୍ଦା ମୁଣ୍ଡଉଛି ଗୃହ ବିଭାଗ
ବିନା ଦୋଷରେ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଇଏ ସଚିବାଳୟ , କୁଆଡେ ଲୋକସେବା ଭବନ ହେଇଛି | ଲୋକଙ୍କ ସେବା କରିବ, ଲୋକଙ୍କୁ ନ୍ୟାୟ ଦେବ | ଯେଉଁଠି ସଚିବାଳୟ ବା ଲୋକ ସେବା ଭବନ ନିଜ ଅଧିକାରୀଙ୍କୁ ନ୍ୟାୟ ଦେଇପାରୁନି, ଲୋକଙ୍କ ସେବା କରିବ ଛେନାଗୁଡ଼ ! ସରକାର ୫ ଟି କରନ୍ତୁ କି ୬ ଟି ବା ଯେତେ ଟି କରନ୍ତୁ, ରାଜ୍ୟର ସମସ୍ତ କର୍ମଚାରୀଙ୍କ ପାଇଁ ଆଦର୍ଶ ବା ମାର୍ଗଦର୍ଶକ ବା ବତୀ ଘର ସାଜିଥିବା ଲୋକ ସେବା ଭବନର କର୍ମଚାରୀ ବା ଅଧିକାରୀ ଯେତେବେଳେ ପଥ ହୁଡ଼ା, ସେଠି କି ଫଳ ମିଳିବ !!! ଏ ବତୀ ଘର ତ ଅନ୍ଧାରରେ କିଛି ଅଜ୍ଞ କର୍ମଚାରୀଙ୍କ ପାଇଁ, ତେଣୁ ଅନ୍ୟ ମାନଙ୍କ ପାଇଁ ଦିଗବାରେଣି ହବ ବା କେମିତି !!! ସଫା ସଫା କହିଲେ, ରାଜ୍ୟ ସଚିବାଳୟର ଖୋଦ ସରକାରୀ ବିଭାଗରେ ଯଦି ଭୁଲ କରାଯାଏ ଓ ସେଥିପାଇଁ କର୍ମଚାରୀ ବିନା ଦୋଷରେ ନିଜର ନାଯ୍ୟ ପଦୋନ୍ନତିରୁ ବଞ୍ଚିତ ହୋଇ ଚାକିରିରୁ ଅବସର ନିଅନ୍ତି , ତେବେ କେଉଁଠି ଓ କାହା ପାଖରେ ଗୁହାରି କରାଯିବ , ତା’କୁ ନେଇ ଏକ ପ୍ରଶ୍ନ ଉଠିଛି । ଗୃହ ବିଭାଗର ଅଜ୍ଞତା ପାଇଁ ଜଣେ ବରିଷ୍ଠ କର୍ମଚାରୀ ପଦୋନ୍ନତିରୁ ବଞ୍ଚିତ ହୋଇ ଶେଷରେ ଚାକିରିରୁ ଅବସର ନେଇଛନ୍ତି । ଏହାକୁ ନେଇ ସଚିବାଳୟ କର୍ମଚାରୀମାନେ ଗୃହ ବିଭାଗର ଅଧିକାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି କିଛି କର୍ମଚାରୀ ବା ଅଧିକାରୀଙ୍କ ପାଇଁ ସରକାର ଓ ଗୃହ ବିଭାଗ ବଦନାମ ହେବା ଥୟ |
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ କରୁଥିବା ରାଜ କିଶୋର ସତପଥୀ ନାମକ ଜଣେ ଡେସ୍କ ଅଫିସରଙ୍କୁ ଗୃହ ବିଭାଗ ଅନୁଶାସନ ସଚିବ ପଦବୀକୁ ପଦୋନ୍ନତି ଦେବାକୁ ମନା କରିଦେଲେ । ଶ୍ରୀ ସତପଥୀଙ୍କ କନିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ, ପଦୋନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଚାକିରିକାଳ ପୂରଣ କରିନଥିବା କହି ତାଙ୍କୁ ପଦୋନ୍ନତିରୁ ବଞ୍ଚିତ କରାଗଲା । ଶ୍ରୀ ସତପଥୀ ଯେତେ ଆଇନ କାନୁନର କଥା କହିଲେ ଓ ଯେତେ ଗୁହାରିକଲେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ କେହି ଶୁଣିଲେ ନ।ହିଁ । ପଦବୀ ଖାଲି ଥିବା ସତ୍ତ୍ୱେ ଶେଷରେ ସେ ବିନା ପଦୋନ୍ନତିରେ ସେପ୍ଟେମ୍ବର ମାସରେ ଚାକିରିରୁ ଅବସର ନେଲେ ।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ୨୦୧୩ ମସିହା ଡିସେମ୍ବର ମାସ ୩୧ ତାରିଖରେ ଶ୍ରୀ ସତପଥୀଙ୍କ ସାଥୀକର୍ମଚାରୀ ମାନେ ସଚିବାଳୟର ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ପାଇଲେ। ଶ୍ରୀ ସତପଥୀଙ୍କ ଅଭିଯୋଗ ଅନୁଯାୟୀ, ଆବଶ୍ୟକ ଚରିତ୍ର ପଞ୍ଜିକା ଉପଲବ୍ଧ ନଥିବା ଦର୍ଶାଇ ତାଙ୍କର ପଦୋନ୍ନତି ବିଚାରକୁ କମିଟି ଘୁଞ୍ଚାଇ ଦେଲେ । ଊଣା ଥିବା ଚରିତ୍ର ପଞ୍ଜିକା ଯୋଗାଡ ହେବା ପରେ , ମାତ୍ର ଦେଢ ମାସ ବ୍ୟବଧାନରେ ଅର୍ଥାତ ୨୦୧୪ ମସିହା ଫେବୃୟାରି ମାସ ମଧ୍ୟ ଭାଗରେ ଗୃହ ବିଭାଗ ଶ୍ରୀ ସତପଥୀଙ୍କ ସାଙ୍ଗକୁ ଆଉ କେତେକ କର୍ମଚାରୀଙ୍କୁ ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ଦେଲେ । ପୂର୍ବରୁ ପଦୋନ୍ନତି ପାଇଥିବା କନିଷ୍ଠ କର୍ମଚାରୀଙ୍କ ଉପରେ ଶ୍ରୀ ସତପଥୀଙ୍କୁ ପଦୋନ୍ନତି ଆଦେଶରେ ବରିଷ୍ଠତା ଦିଆଗଲା । ଆଦେଶ ମୁତାବକ ଶ୍ରୀ ସତପଥୀ ତତକ୍ଷଣ।ତ ନୂଆ ପଦବୀରେ ଯୋଗ ଦେଲେ। ବରିଷ୍ଠତା ତାଲିକାରେ ତା’ଙ୍କ ନାମ ଠିକ ସ୍ଥାନରେ ରହିଲା । ପରବତ୍ତୀ କାଳରେ ଶ୍ରୀ ସତପଥୀ ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ପାଇଲେ। ଇତି ମଧ୍ୟରେ ତାଙ୍କର ଆଉ କୌଣସି ତ୍ରୁଟି ନଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଶ୍ରୀ ସତପଥୀ ଓ ସାଥୀକର୍ମଚାରୀ ମାନଙ୍କର ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ବିଷୟ ବିଚାର କରାଗଲା । ଅନ୍ୟାନ୍ୟ ସମସ୍ତ କାଗଜ ପତ୍ର ଠିକ ଥିବା ବେଳେ, ପଦୋନ୍ନତି ପାଇଁ ଉଭୟ ଉପବିଭାଗ ଅଧିକାରୀ ଏବଂ ଡେସ୍କ ଅଫିସର ପଦବୀରେ ଆବଶ୍ୟକ ସର୍ବନିମ୍ନ ଛଅବର୍ଷ କାର୍ଯ୍ୟକାଳ ପୁରା କରିନଥିବା ଦର୍ଶାଇ ଗୃହ ବିଭାଗ ତା’ଙ୍କୁ ପଦୋନ୍ନତି ମନାକରିଦେଲେ । ଅପରପକ୍ଷରେ ତା’ଙ୍କ କନିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତି ଦେଲେ। ଏଠାରେ ପ୍ରକାଶ ଥାଉକି, ନା ଗୃହ ବିଭାଗ, ନା କମିଟି କେହି ଜାଣିବାକୁ ଚାହିଁଲେ ନ।ହିଁ ଯେ କନିଷ୍ଠର ଚାକିରିକାଳ ଅଧିକ ଥିବାବେଳେ, ବରିଷ୍ଟଙ୍କ ଚାକିରିକାଳ କମ ହେଲା କାହିଁକି ।
ସାଧାରଣ ପ୍ରଶାସନ ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କ କହିବା ଅନୁଯାୟୀ , ଶ୍ରୀ ସତପଥୀ ବିନା ଦୋଷରେ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । ସେ ସ୍ପଷ୍ଟଭାବେ କହିଛନ୍ତିଯେ , ଏ କ୍ଷେତ୍ରରେ ଗୃହ ବିଭାଗର ଅଜ୍ଞତା ଓ ତର୍ଜମାର ଅଭାବରୁ ଏପରି ଭୁଲ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ୨୦୦୫ ବର୍ଷର ନିୟମ ଅନୁଯାୟୀ , ପଦୋନ୍ନତି କାଳରେ ଆବଶ୍ୟକ ଚରିତ୍ର ପଞ୍ଜିକା ଉପଲବ୍ଦ୍ଧ ନହେଲେ , ସେଥିପାଇଁ କର୍ମଚାରୀଙ୍କୁ ଦାୟୀ କରାଯିବ ନ।ହିଁ। ଏପରି କ୍ଷେତ୍ରରେ ଯେତେବେଳେ ତାଙ୍କୁ ପଦୋନ୍ନତି ଦିଆଯିବ | ଉକ୍ତ ପଦୋନ୍ନତି ପୂର୍ବରୁ ପଦୋନ୍ନତି ପାଇଥିବା ତାଙ୍କ କନିଷ୍ଠ କର୍ମଚାରୀର ପଦୋନ୍ନତି ଦିନଠାରୁ ଦିଆଯିବ । କୌଣସି ପ୍ରକାରେ ତାଙ୍କର ଚାକିରି ଓ ଦରମା ପ୍ରଭାବିତ ହେବ ନ।ହିଁ। ଏ ନିୟମକୁ ଗୃହ ବିଭାଗ ନା ୨୦୧୪ ମସିହାରେ ଦେଖିଲେ, ନା ଏବେ ଦେଖିଲେ । ଗୃହ ବିଭାଗର ଭୁଲ ପାଇଁ ଶ୍ରୀ ସତପଥୀ ପଦୋନ୍ନତିରୁ ବଞ୍ଚିତ ହେଲେ। ୨୦୧୪ ମସିହାରେ ତାଙ୍କୁ ଯେତେବେଳେ ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ଦେଲେ, ସେତେବେଳ ତାଙ୍କୁ ୨୦୧୩ ମସିହା ଡିସେମ୍ବର ମାସ ୩୧ତାରିଖ ଠାରୁ ପଦୋନ୍ନତି ଦେବାର ଥିଲା । ଏପରି କରାଯାଇଥିଲେ , ଆଜି ଏ ସମସ୍ୟା ହୋଇ ନ’ଥାନ୍ତା । ଏହି ଭୁଲକୁ ଏବେମଧ୍ୟ ଗୃହ ବିଭାଗ ନିଜସ୍ତରରେ ସଂଶୋଧନ କରିପାରିଥାନ୍ତା । ବିଳମ୍ବ ହେଲେ ହେଁ ଗୃହ ବିଭାଗ ନିଜ ଭୁଲକୁ ସୁଧାରୀ ଶ୍ରୀ ସତପଥୀଙ୍କୁ ପିଛିଲା ଭାବେ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବାକୁ ସଚିବାଳୟ ସେବା ବର୍ଗର ଅନେକ ଅଧିକାରୀ ଦାବି କରିଛନ୍ତି । ଏହା କଲେ ଶ୍ରୀ ସତପଥୀ ନ୍ୟାୟ ପାଇବେ ଓ ଗୃହ ବିଭାଗ ଲାଞ୍ଛନାରୁ ମୁକ୍ତି ପାଇବ ।