ପୁରୀ/ସ୍ୱତନ୍ତ୍ର ପ୍ରତିନିଧି : ବଦଳିଛନ୍ତି ଏସ୍ ପି । ହେଲେ ଥମିନି ହାଜତ ମୃତ୍ୟୁ ତାତି । କିଏ କହୁଛି ବିଦାୟୀ ଏସ୍ ପି ଅଖିଳେଶ୍ୱର ସିଂ ଫେରିବା ଦରକାର ତ କେତେକ କହୁଛନ୍ତି ବିବାଦୀୟ ଏସ୍ ପି ହଟିଲେ ମଧ୍ୟ ମୃତ ରମେଶଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପାଇଁ ଏ ଲଢେଇ ଜାରି ରହିବ । କିଛି ସଂଗଠନ ଏସ୍ ପିଙ୍କୁ ସମର୍ଥନ କରୁଥିବା ବେଳେ ଜାତୀୟ ଦଳ ବିଜେପି କିନ୍ତୁ ନଛୋଡବନ୍ଦା । ବଦଳି ପରେ ବି ଆନ୍ଦୋଳନ ଜାରି ରଖିଛି । ଏମିତି ପରିସ୍ଥିତିରେ ପୁରୀ ଏବେ ଅଖିଳେଶ୍ୱରଙ୍କ ପାଇଁ ଦୁଇଫାଳ ହୋଇଯାଇଛି ।
ସୂଚନା ଥାଉକି, କିଛି ଦିନ ତଳେ ପୁରୀ ବାସେଳୀସାହି ଥାନାରେ ହୋଇଥିବା ହାଜତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ସାଧାରଣ ଲୋକେ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ସମ୍ପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉଠିଥିଲା । ଜାତୀୟ ଦଳ ବିଜେପି ଏହାକୁ ନେଇ ରାଜନୀତି କରିବାକୁ ପଛାଇଲା ନାହିଁ । ହସ୍ପିଟାଲରେ ଧାରଣା, ଶୋଭାଯାତ୍ରା ଆଦି ଅନେକ ଫରମୂଲା ପ୍ରୟୋଗ ମଧ୍ୟ କରିଛି । ଆଇଆଇସିଙ୍କୁ ଛୁଟିରେ ଥିବା ଦର୍ଶାଇ ଫସିଲେ ଅଖିଳେଶ୍ୱର । ଘଟଣାର ତଦନ୍ତ ହେବା ପୂର୍ବରୁ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଗଲା । ଅଦ୍ୟାବଧି ନୂଆ ଏସ୍ ପି କାର୍ଯ୍ୟରେ ଯୋଗ ମଧ୍ୟ ଦେଇ ସାରିଲେଣି । ତଥାପି ବିଜେପି ଏ ଘଟଣାକୁ ସହଜରେ ଛାଡୁନି ।
ଅନ୍ୟ ପଟେ, ବିଦାୟୀ ଅଖିଳେଶଙ୍କୁ ପୁରୀ ଫେରାଇ ଆଣିବାକୁ କିଛି ସଂଗଠନ ସ୍ୱର ଉଠାଇଛନ୍ତି । ଅଖିଳେଶ୍ୱର ସହରରେ ନିଶା ବେପାରକୁ ବନ୍ଦ କରିପାରିଛନ୍ତି । ଅପରାଧିଙ୍କୁ ସାବାଡ କରିବା ସହ ଅପରାଧ ମଧ୍ୟ କମିଥିବା କହିଛନ୍ତି ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଆବାହକ ସ୍ୱାଧିନ ପଣ୍ଡା ଓ ଆଇନଜୀବୀ ରାମଚନ୍ଦ୍ର ସାହୁ । ଗୋଟେ ପଟେ ବିଜେପି ଅଖିଳେଶ୍ୱରଙ୍କ ବିରୋଧରେ ରାଲି କରୁଥିବା ବେଳେ ଅନ୍ୟ ପଟେ ଜନ ଜାଗରଣ ମଞ୍ଚ, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଆଦି ସଂଗଠନ ଅଖିଳେଶ୍ୱରଙ୍କ ସପକ୍ଷ ରାଲି ବାହାର କରୁଛନ୍ତି ।
ନିକଟରେ ଲେଖାଶ୍ରୀଙ୍କ ପୁରୀ ଅସ୍ତିତ୍ବକୁ ନେଇ ବିବାଦୀୟ ବୟାନକୁ ନେଇ ବଢିଥିବା ଜନ ଅସନ୍ତୋଷକୁ ଲୋକଙ୍କ ନଜରରୁ ହଟାଇବା ପାଇଁ ବିଜେପି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।
ସେପଟେ ପୁରୀ କଂଗ୍ରେସର ଏକ ଛୋଟିଆ ଗୋଷ୍ଠୀର ଜଣେ ଆତ୍ମ ଘୋଷିତ ଯୁବ ନେତା, କେ ରମେଶ ଙ୍କ ସପକ୍ଷରେ ଏସ.ପି ଅଫିସ ଘେରାଉ କରିଥିବା ବେଳେ ଜଣେ ପୂର୍ବତନ ନଗର ସଭାପତି କେ ରମେଶ ଙ୍କ ଘରକୁ ହୋମଗାର୍ଡ କମାଣ୍ଡର ସମେତ ଯାଇ ଟଙ୍କା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବା ପ୍ରଲୋଭନ ଦେଖାଇ ଘଟଣା ଚାପିଦେବା ଉଦ୍ୟମ କରିଛନ୍ତି। ଫଳରେ କଂଗ୍ରେସ ଦଳ ମଧ୍ୟରେ ଅସନ୍ତୋଷ ଗନ୍ଧ ବାରିହେଉଛି ।