-
ଅଧିଗ୍ରହଣ କଲା ୩ ଏକର ଜମି, ଦେଲା ନାହିଁ କ୍ଷତିପୂରଣ ବା ଚାକିରି।
-
ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିଛି ଏମସିଏଲ ଓ କାମ ଆରମ୍ଭ କରିଛି।
-
ଅନଶନରେ ବସିଛନ୍ତି, ଚାରିପଟୁ ମାଟିଖୋଳା ଆରମ୍ଭ।
ଝାରସୁଗୁଡ଼ା :(ସୁଭାଷ ସହାରେ)-'ଏକଲା ଚଲୋରେ' ନୀତି ଅବଲମ୍ବନ କରି ଅନଶନରେ ବସିଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଲଖନପୁରର ଟିଙ୍ଗିସମାଲ ଅଞ୍ଚଳର ଜଣେ ଯୁବକ ନୀଳମଣି ଭିତିରିଆ। ନିଜର ପ୍ରାପ୍ୟ ପାଇବା ଦାଵୀରେ ନିଜ ଜମି ଉପରେ ଦୁଇ ଦିନ ହେଲା ଅନଶନରେ ବସିଛନ୍ତି ନୀଳମଣି।
ସୂଚନାନୁସାରେ, ଝାରସୁଗୁଡ଼ାର ଏହି ଅଞ୍ଚଳରେ ଅନେକ ଜମି ଅଧିଗ୍ରହଣ କରି ଏମସିଏଲ କାହାରିକୁ କ୍ଷତିପୂରଣ ପ୍ରଦାନ କରିନାହିଁ ବା କାହାରିକୁ ଚାକିରି ଦେଇନାହିଁ। ସେ ସମୟରେ ନୀଳମଣିଙ୍କର ମଧ୍ୟ ତିନି ଏକର ଜମି ଅଧିଗ୍ରହଣ କରାଯାଇଥିଲା। ମାତ୍ର ପ୍ରତିଶ୍ରୁତି ମୁତାବକ ଏମସିଏଲ ତାଙ୍କୁ ଚାକିରୀ ଓ କ୍ଷତିପୂରଣ କିଛି ମଧ୍ୟ ଦେଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଟିଙ୍ଗସିମାଲ ଅଞ୍ଚଳରେ ତାଙ୍କର କୌଣସି ପରିଚୟ ପତ୍ର ନଥିବା ଆଳ ଦେଖାଇ ତାଙ୍କୁ ଏଥିପାଇଁ ମନା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ବାରମ୍ବାର ପ୍ରଶାସନ ଓ ପୋଲିସର ଦ୍ବାରସ୍ଥ ହେବା ପରେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନଥିଲା। ଅନ୍ୟପକ୍ଷରେ ଏମସିଏଲ ତାଙ୍କ ଜମିରେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛି। ଶେଷରେ ଅନୋନ୍ୟପାୟ ହୋଇ ସେ ନିଜ ଜମିରେ ହିଁ ଅନଶନରେ ବସିଛନ୍ତି। ଏପଟେ ସେ ବସିଥିବା ଜମିର ଚାରିପଟେ ମାଟି ଖୋଳିବା ଆରମ୍ଭ କରିଦେଇଛି। ଏପର୍ଯ୍ୟନ୍ତ ତାଙ୍କ ପାଖକୁ ପ୍ରଶାସନିକ ଅଧିକାରୀ ବା ଏମସିଏଲ ଅଧିକାରୀ ତରଫରୁ କେହି ପହଞ୍ଚି ନଥିବା ବେଳେ ଠିକାସଂସ୍ଥା ତରଫରୁ ତାଙ୍କୁ ସେଠାରୁ ଉଠିବା ପାଇଁ ବାରମ୍ବାର ଧମକ ମଧ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି।