-
ମନ୍ତ୍ରୀଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ସମ୍ବେଦନତା ହୀନ ଓ ମାନବିକତା ଶୁନ୍ୟ ବୋଲି କହିଲା ବିଜେପି
-
ନିଜ ମନ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ରାଜା ସ୍ୱାଇଁ
ବାଲେଶ୍ୱର/ଭୁବନେଶ୍ୱର (): ଏତେ ବଡ ଅଭିଜ୍ଞ ନେତା ହୋଇ ଏମିତି ପଦେ କଥା କହିଦେଲେ ବରିଷ୍ଠ ମନ୍ତ୍ରୀ ରାଜା ସ୍ବାଇଁ ଯାହାକି ଏବେ ବିଜେଡି ପାଇଁ କିଳା ହେବାକୁ ବସିଛି | ବାଲେଶ୍ୱରରେ ସ୍ବର୍ଗତ ବିଧାୟକଙ୍କ ପୁତ୍ର ମାନସ ଦତ୍ତଙ୍କ ପାଇଁ କିଛି ଲୋକଙ୍କ ଭିତରେ ସ୍ୱାଭାବିକ ଭାବେ ଏକ ସମବେଦନାର ଭାବନା ବା ଅନୁକମ୍ପା ରହିଥିବା ବେଳେ ଓ ବିଜେଡି ସେ ଅନୁକମ୍ପାକୁ ମୁକାବିଲା କରିବା ପାଇଁ ପ୍ରାଣମୂର୍ଛା ଚଳାଇଥିବା ବେଳେ, ମନ୍ତ୍ରୀ ରାଜା ସ୍ୱାଇଁଙ୍କ ମନ୍ତବ୍ୟ ଆଜି ବିଜେଡି ପାଇଁ ଏକ ଅପଦସ୍ତ ହେଲା ଭଳି ପରିସ୍ଥିତି ସୃଷ୍ଟି କରିଦେଇଛି | ଅବଶ୍ୟ ସେଇଟା ମନ୍ତ୍ରୀଙ୍କ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ | ସେ ତାହା କହୁ କହୁ ଏମିତି କହିଦେଇଛନ୍ତି | ହେଲେ ତାଙ୍କର ମନ୍ତବ୍ୟ ବିଜେଡ଼ିକୁ ଏବେ ବ୍ୟାକଫୁଟରେ ରଖିଦେଇଛି | ପ୍ରଚାରରେ ନିଶ୍ଚିତ ଭାବେ ଏହି ପ୍ରସଙ୍ଗ ପ୍ରାଥମିକତା ପାଇବ | ଆଉ ଅନୁକମ୍ପାକୁ ଲହରକୁ ଏହା ଟିକେ ଅଧିକ ବଳ ଦେବା ସହ ବିଜେପି ପାଇଁ ପ୍ରଚାରର ଏକ ପ୍ରଧାନ ଅସ୍ତ୍ର ପାଲଟିଛି | କେତେ ଲୋକଙ୍କୁ ବିଜେଡି ସଫେଇ ଦେବ ଯେ ରାଜା ବାବୁ ସେମିତି ମନ୍ଦ ଉଦ୍ଦେଶ୍ୟରେ କିଛି କହିନାହାନ୍ତି ବୋଲି !! ଅପର ପକ୍ଷରେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ନିନ୍ଦା କରାଯିବା ସହ ସ୍ବର୍ଗତ ବିଧାୟକଙ୍କ ପୁତ୍ର ତଥା ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଜି ରାଜା ବାବୁ ଓ ବିଜେଡି ଉପରକୁ ଏକ ଇମୋସନାଲ ବାଣ ମାରିଛନ୍ତି | ଆଉ ବିଜେଡି ଶିବିରରେ ଏହା ଟିକେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି | ଏହା ସତ୍ୟ ରାଜା ଦେଇଥିବା ମନ୍ତବ୍ୟକୁ ବିଜେଡି କାଉଣ୍ଟରର ତ କରି ପାରିବେନି, ହେଲେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି | ଆଜି ବିଜେପି ଓ ମାନସ ସାମ୍ବାଦିକ ସମ୍ମିଳନୀ କରି ବାଣ ଛାଡିବା ପରେ ଡ୍ୟାମେଜ କଣ୍ଟ୍ରୋଲ ପଦକ୍ଷେପ ଭାବେ ରାଜା ନିଜେ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି | ଇଂରାଜୀରେ ଦୁଃଖ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ରାଜା ସ୍ବାଇଁ କହିଛନ୍ତି ଯେ
"ମୁଁ ଶ୍ରୀ ମଦନ ମୋହନ ଦତ୍ତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଥିଲା ଏବଂ ଆମର ବନ୍ଧୁତା ରାଜନୀତିରୁ ଊର୍ଧ୍ୱରେ ଥିଲା | ମୋର କୌଣସି ମନ୍ତବ୍ୟ ଦେଇ କାହାର ମନକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା, ବିଶେଷ କରି ଶ୍ରୀ ମାନସ ଦତ୍ତଙ୍କ ପାଇଁ ମଧ୍ୟ |
ଘଟଣାଗୁଡ଼ିକର ମୋଡ ଏମିତି ବଦଳିଯିବା ଏବଂ ମୋର ବିବୃତ୍ତି ଅତିରଂଜିତ କରାଯିବା ଘଟଣାରେ ମୁଁ ଦୁଃଖିତ | ଶ୍ରୀ ମଦନ ମୋହନ ଦତ୍ତଙ୍କ ପାଇଁ ମୋର ଗଭୀର ସମ୍ମାନ ଏବଂ ପ୍ରଶଂସା ଛଡା ମୋର ଆଉ କିଛି ନାହିଁ | ମାନସ ମୋ ପୁଅ ପରି | ଯଦି ସେ ଆଘାତପ୍ରାପ୍ତ, ତେବେ ମୁଁ ଗଭୀର ଦୁଃଖିତ |"
(I shared a very close relationship with Shri Madan Mohan Dutta and our friendship transcends our political affiliation. I never have any intention of hurting anybody's sentiments with any of my statement, especially for Shri Manas Dutta.
I am deeply saddened by the turn of events and my statement is being blown out of proportion. I have nothing but the deepest respect and admiration for Shri Madan Mohan Dutta. Manas is like my son and if he is hurt, then I am deeply saddened.)
ସୂଚନାଯୋଗ୍ୟ ଯେ, ସଦର ବିଧାୟକ ମଦନ ମୋହନ ଦତ୍ତ(ମଙ୍ଗୁ)ଙ୍କ ମୃତ୍ୟୁ ବିଜେଡି ପାଇଁ ଆଶୀର୍ବାଦ ବୋଲି ବାଲେଶ୍ୱରରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରୋକ୍ଷ ଭାବେ ମିଡିଆ ଆଗରେ କହିଦେଇଥିଲେ | ଆଉ ଭାବନା ଦୃଷ୍ଟିରୁ ଆଉ ରାଜନୈତିକ ଦାଓପେଞ୍ଚ ଦୃଷ୍ଟିରୁ ବିଜେପି ବିଜେଡିର ଏହି ଦୁର୍ବଳତାକୁ ତୁରନ୍ତ ଗଣ୍ଠି ପକାଇଦେଇଛି |
ମନ୍ତ୍ରୀ ରାଜା ସ୍ୱାଇଁଙ୍କ ମନ୍ତବ୍ୟକୁ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିଛି । ଏନେଇ ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାନସ ଦତ୍ତ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଟିପ୍ପଣୀକୁ ନେଇ ଉଦବେଗ ପ୍ରକାଶ ସହ ସାମ୍ପ୍ରତିକ ରାଜନୀତି ମାନବିକତାର ଊଦ୍ଧ୍ୱର୍କୁ ଚାଲିଗଲା ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି । ତାଙ୍କ ବାପା ଅର୍ଥାତ ସ୍ୱଗର୍ତ ମଦନ ମୋହନ ଦତ୍ତ ଜଣେ ଲୋକପ୍ରିୟ ନେତା ଥିଲେ । ସକାଳଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସେ କେବଳ ଲୋକଙ୍କ ସେବାରେ ନିଜକୁ ନିିୟୋଜିତ କରିଥିଲେ । ଏମିତିକି ଘର ପରିବାର କଥା ସେ ଭୁଲି ଯାଉଥିଲେ ବୋଲି ପୁତ୍ର ମାନସ କହିଛନ୍ତି । ଭୋଟ ପାଇଁ ବିଜେଡି ପକ୍ଷରୁ ତାଙ୍କର ସ୍ୱର୍ଗବାସୀ ପିତାଙ୍କୁ ବାଲେଶ୍ୱର ବିକାଶରେ ବାଧକ ବୋଲି କହିବା ଓ ମନ୍ତ୍ରୀ ତାଙ୍କର ସ୍ୱର୍ଗବାସକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି । ପିତୃତୁଲ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନ ସଭାରେ ତାଙ୍କ ବାପାଙ୍କ ସଙ୍ଗେରେ ବହୁବାର କଥା ହୋଇଛନ୍ତି ଓ ମିଶିଛନ୍ତି ମଧ୍ୟ । ଏହା ପରେ ବି ତାଙ୍କର ଏଭଳି ମନ୍ତବ୍ୟ ମୋତେ ଅତ୍ୟନ୍ତ ଦୁଃଖ ଦେଉଛି ବୋଲି ମାନସ କାନ୍ଦି କାନ୍ଦି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ କି ‘ମୋ ସ୍ୱର୍ଗବାସୀ ବାପାଙ୍କୁ ସମ୍ମାନ ନ ଦିଅନ୍ତୁ ଦୁଃଖ ନାହିଁ, ମାତ୍ର ତାଙ୍କୁ ନେଇ ଏଭଳି କଟୁ ମନ୍ତବ୍ୟ କିମ୍ବା ଅପମାନ ନ ଦିଆଯାଉ’ । ସ୍ୱଚ୍ଛ ଓ ନିର୍ମଳ ଭାମୂର୍ତ୍ତିର ପ୍ରତୀକ ଭାବେ ମୁଖ୍ୟମନ୍ତ୍ରୀ ଆପାତତଃ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି । ମୋର ରାଜନୀତିକୁ ଆସିବା ଯଦି ବିଜେଡି ଦଳ ପାଇଁ ଅସହିଷ୍ଣୁତା ସୃଷ୍ଟି କରୁଛି ତାହାଲେ ମୁଁ ରାଜନୀତିକୁ ଛାଡ଼ିଦେବାକୁ ପ୍ରସ୍ତୁତ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି କାନ୍ଦି କହିଥିଲେ । ତେବେ ସେଠାରେ ଉପସ୍ଥିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖ ତାଙ୍କୁ ସାନ୍ତ୍ୱନା ଦେବା ସହ ସେଇ ଭଗବାନ ବାଲେଶ୍ୱରର ଜନସାଧାରଣଙ୍କ ଜରିଆରେ ଏହାର ଉଚିତ ବିଚାର କରିବେ ବୋଲି କହିଥିଲେ ।