ବାଲେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ଓ କର୍ମୀ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଦୀର୍ଘଦିନ ଧରି ଅବହେଳାର ଶିକାର ହୋଇଥିବା ଭୋଟରମାନେ ବି ମୁହଁତୋଡ଼୍ ଜବାବ ଦେବାକୁ ପଛାଉ ନଥିବା ଲକ୍ଷ୍ୟ କରାଯାଇଛି । ଏମିତିକି ଅପରାଧିକ କାର୍ଯ୍ୟକଳାପ ଚଳାଇ ରଖିଥିବା କେତେକ କର୍ମୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତାଙ୍କୁ କେମିତି ଅପଦସ୍ତ ହେବାକୁ ପଡ଼ିଥାଏ, ତାହା ସଦର ନିର୍ବାଚନମଣ୍ଡଳୀର ବୁଆଁଳ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଓ ନିର୍ବାଚନୀ ସଭାରେ ବେଶ୍ ପ୍ରତିଫଳିତ ହୋଇଛି । ସଭାକାର୍ଯ୍ୟ ଚାଲିଥିବା ବେଳେ ମହିଳାମାନେ ଚିହିଁକି ଉଠିବା ସହିତ ଏହି ପଞ୍ଚାୟତରେ ଚାଲିଥିବା ବ୍ୟାପକ ମଦ କାରବାର ଓ ଅପରାଧିକ କାର୍ଯ୍ୟକଳାପକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ । ମଦ ବନ୍ଦ ନହେବା ପର୍ଯ୍ୟନ୍ତ ଭୋଟ ମାଗିବାକୁ ନ ଆସିବା ପାଇଁ ସେମାନେ ମଞ୍ଚାସୀନ ବିଜେଡି ନେତା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ ଓ ଜୀବନ ପ୍ରଦୀପ ଦାଶଙ୍କୁ ସଫା ସଫା କହିଥିଲେ । ରାଜନୀତି ନାଆଁରେ ଏହି ଅଞ୍ଚଳରେ ମଦର ବନ୍ୟା ଚାଲିଥିବା ବେଳେ ବିପଥଗାମୀ ଯୁବକମାନେ ଗୋଟିଏ ପରେ ଗୋଟିଏ ଅପରାଧିକ କାଣ୍ଡ ଘଟାଇ ଚାଲିଛନ୍ତି । ଖାସ୍ ଏହି କାରଣରୁ ଗତ ଅଗଷ୍ଟ ୩ ତାରିଖ ରାତିରେ ଏ ଅଞ୍ଚଳର ଯୁବକ ତପନ ପାତ୍ରର ମୃତ୍ୟୁ ହୋଇଯାଇଥିବା ମହିଳାମାନେ ସୂଚାଇ ଦେଇଥିଲେ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଅଦ୍ୟାବଧି ପୁଲିସ ଗିରଫ ନ କରିବାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ କରିଥିଲେ । ବାସ୍ତବରେ ମହିଳାମାନଙ୍କର ଏହି ବିରୋଧ ଯେ ସଭା ମଞ୍ଚରେ ଥିବା ସଦର ବ୍ଲକର ଦଳୀୟ ସଭାପତି ବସନ୍ତ ଓରଫ୍ କୁନୁପଣ୍ଡାଙ୍କ ଉଦ୍ଦେଶ୍ୟରେ ଥିଲା, ତାହାକୁ ବିଜେଡି ନେତାମାନେ ବେଶ୍ ଅନୁଭବ କରିପାରିଥିଲେ । କୁନୁପଣ୍ଡାଙ୍କ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ସଦର ନିର୍ବାଚନମଣ୍ଡଳୀର ବୁଆଁଳ ସମେତ ଆଖପାଖ ୫/୭ଟି ପଞ୍ଚାୟତର ଲୋକେ ଏକ ପ୍ରକାର ଅତିଷ୍ଟ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି । ବେଆଇନ୍ ନଦୀବାଲି ଚାଲାଣ, ଚୋରା ମଦ କାରବାରରୁ ଆୟ ଅର୍ଥରେ କୁନୁପଣ୍ଡା ସେ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ଦିଶାହୀନ ରାସ୍ତାକୁ ନେଇ ଯାଉଥିବା ସ୍ଥାନୀୟ ଲୋକେ ଆରୋପ ଉଠାଇଛନ୍ତି । ଏମିତିକି ଗତ ୩ ତାରିଖରେ ତାଙ୍କର ନେତୃତ୍ୱରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ତପନ ପାତ୍ରର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର ଲୋକେ ଏତଲାରେ ଉଲ୍ଲେଖ ବି କରିଥିଲେ । ମାତ୍ର ବିଜେଡି ନେତାଙ୍କ ଚାପରେ ପଡ଼ି ପୁଲିସ ତାଙ୍କୁ ଗିରଫ ନ କରି ଚାର୍ଜସିଟ୍ରୁ ତାଙ୍କ ନାମ କାଟିଦେବାକୁ ଉଦ୍ୟମ କରିଥିବା ଏବେ ବୁଆଁଳ ଅଞ୍ଚଳର ଲୋକେ ଅଭିଯୋଗ କଲେଣି । ମୋଟ ଉପରେ କୁନୁପଣ୍ଡା ଏହି ଉପ-ନର୍ବାଚନରେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ଜଣାପଡ଼ିଛି । ଏହି ପଞ୍ଚାୟତମାନଙ୍କରେ ବିଜେଡିର ଭୋଟ ହାର କମିବା ଆଶଙ୍କାରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି । ଗୋଟିଏ ପଟରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଏଠାକାର ଭୋଟରଙ୍କୁ ପ୍ରଭାବିତ କରିବାରେ ବିଜେଡି ବିଫଳ ହୋଇଥିବା ବେଳେ ଅନ୍ୟପକ୍ଷରେ ଆସନ୍ନ ନିର୍ବାଚନରେ କୁନୁପଣ୍ଡାଙ୍କୁ ଦଳରୁ ବହିଷ୍କାର କରିବା ବି ଦୂରୁହ ବ୍ୟାପାର ହୋଇଛି । ତ୍ରିଶଙ୍କୁ ଅବସ୍ଥାରେ ଦଳର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନେ ଏବେ ହତବାକ୍ ହୋଇଯାଇଛନ୍ତି । ଫଳାଫଳ କ’ଣ ହେବ ସେଇଟା ତ ପରବର୍ତ୍ତୀ କଥା, ମାତ୍ର ବିଜେଡି ପାଇଁ କାର୍ଯ୍ୟ କରିବାକୁ ବଳଙ୍ଗ ନଦୀ ଆରାପାରି ଏହିସବୁ ପଞ୍ଚାୟତରେ ଏବେ କର୍ମୀ ଅଭାବ ଦେଖାଗଲାଣି । ସଦର ବ୍ଲକ ବିଜେଡିର ସଭାପତି ଥାଇ ଯାବତୀୟ ଅପରାଧିକ କାର୍ଯ୍ୟକଳାପ କରି ଚାଲିଥିବା ଶ୍ରୀ ପଣ୍ଡା ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘାତକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି । ଏମିତିକି ୨୦୧୯ ସାଧାରଣ ନିର୍ବାଚନ ଭଳି ବିଜେଡି ପ୍ରାର୍ଥୀଙ୍କୁ ଏହି ଉପ-ନିର୍ବାଚନରେ ପୁଣି ଥରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ଏବେ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି ।
ରାଜ୍ୟ
ବିଜେଡି ପାଇଁ କୁନୁପଣ୍ଡା ସାଜିଛନ୍ତି ମୁଣ୍ଡବିନ୍ଧା !!!!!
- Hits: 376