ବିଜେଡି ଛାଡ଼ି ବିଜେପିରେ ଜୀବନବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ
ବାଲେଶ୍ୱର ଅର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ଓ ମହିଳା ବିଜେଡି ସଦର ସଭାନେତ୍ରୀ ବି ମିଶିଲେ ବିଜେପିରେ
ବାଲେଶ୍ୱର(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିଲେ ବି ବିଭିନ୍ନ ଦଳର ଛାମୁଆ କର୍ମୀଙ୍କ ଦଳଡିଆଁର ଯବନିକା ପଡ଼ୁନାହିଁ । ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ବେଶ ଜୋରଦାର କରିଥିବା ବିଜେପିରେ ଅନ୍ୟଦଳର କର୍ମୀଙ୍କ ଆଗମନ ମଧ୍ୟ ଲାଗି ରହିଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏକ ମହାମିଶ୍ରଣ ପର୍ବ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସହରର ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଆୟୋଜିତ ପର୍ବରେ ନିକଟ ଅତୀତରେ ଦଳ ପରିତ୍ୟାଗ କରିଥିବା ବିଜେଡିର ଜିଲ୍ଲା ସମ୍ପାଦକ ତଥା ଜୀବନବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ ଆଶିଷ ଘୋଷ, ବାଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ପୂର୍ବତନ ସଭାପତି ତଥା ବିର୍ଲା ଟାୟାର୍ସ ଶ୍ରମିକ ସଂଘ କର୍ମକର୍ତ୍ତା ଦୁକୁଲୁ ଚନ୍ଦ୍ର ଘଡେ଼ଇ, ବିଜୁ ମହିଳା ଜନତା ଦଳ ସଦର ଶାଖା ସଭାପତି କଲ୍ୟାଣୀ ମହାନ୍ତି, ଆଳୁମେଦା ପଞ୍ଚାୟତ ବିଜେଡି ଶାଖାର କର୍ମକର୍ତ୍ତା ସଂଜୟ ମଣ୍ଡଳ ଓ ନାରାୟଣ ମଲ୍ଲିକ, ବିଜେଡି ସଦର ଶାଖା ଏସସି ସେଲ ସଭାପତି ସନ୍ତୋଷ ସେଠୀ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କମିଟି କର୍ମକର୍ତ୍ତା ବିଶ୍ୱଜିତ ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଉତ୍ତରୀୟ ଓ ପୁଷ୍ୱଗୁଚ୍ଛ ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ନବାଗତ ଟାଣୁଆ କର୍ମୀ ଓ ଦକ୍ଷ ସଂଗଠକଙ୍କ ଆଗମନରେ ବିଜେପିର ସଂଗଠନ ଆହୁରି ସୁଦୃଢ଼ ହେବା ସହିତ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିପାରିଛି ବୋଲି ସେ କହିଥିଲେ । ତେବେ ସମସ୍ତେ ଏକମନ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଜେଡିରେ କର୍ମୀଙ୍କୁ ଅବହେଳା ସାଙ୍ଗକୁ ଦିଆଯାଉଥିବା ମିଥ୍ୟ ପ୍ରତିଶ୍ରୁତି ଓ ବୃଦ୍ଧି ପାଇଥିବା ଦୁର୍ନୀତିରେ ଅତିଷ୍ଠ ହୋଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା କହିଥିଲେ । ଛାମୁଆ କର୍ମୀ ଓ ସଂଗଠକଙ୍କ ସମେତ ସେମାନଙ୍କ ଅନୁଗାମୀ ଓ ସହଯୋଗୀ ଶତାଧିକ କର୍ମୀ ଏହି ମିଶ୍ରମଣ ପର୍ବରେ ଉପସ୍ଥିତ ରହି ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିିଳିଥିଲା । ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସମ୍ଭାବ୍ୟ ବିଜୟରେ ଅସହିଷ୍ଣୁ ହୋଇ ତାଙ୍କର ସ୍ୱର୍ଗତ ପିତା ମଦନ ମୋହନ ଦତ୍ତଙ୍କ ନାମରେ ରାଜ୍ୟ ଆଇମନ୍ତ୍ରୀଙ୍କ ଆରୋପକୁ ଶ୍ରୀ ମହାନ୍ତି ଏହି ଅବସରରେ ତୀବ୍ର୍ର ସମାଲୋଚନା କରିଥିଲେ । ବିକାଶର ନାରା ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇ ଚାଲିଥିବା ବିଜେଡି ବାଲେଶ୍ୱରର ଏହି ନିର୍ବାଚନରେ ନିଜକୁ ଅସହାୟ ମଣୁଥିବା ସେ କହିଛନ୍ତି । ଦୀର୍ଘ ୨୦ ବର୍ଷର ଶାସନ କାଳରେ ବାଲେଶ୍ୱର ପୌରାଞ୍ଚଳରେ ବିଜେଡି କରିଥିବା ବିକାଶର ଧାରାକୁ ସ୍ୱର୍ଗତ ଦତ୍ତ ମାତ୍ର ଦେଢ଼ ବର୍ଷରେ ରୋକିଦେଲେ ବୋଲି ଆଇନ ମନ୍ତ୍ରୀ କହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ସ୍ୱର୍ଗତ ଦତ୍ତ ବାଲେଶ୍ୱରର ସହର ବିକାଶକୁ ନେଇ ବିଧାନସଭାରେ କେତେ ପ୍ରଶ୍ନ କରିଛନ୍ତି ଓ ରାଜ୍ୟ ସରକାରା କେତେ ଉତ୍ତର ରଖିଛନ୍ତି ଏବଂ କେତେ ଉତ୍ତର ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି ରେକଡର଼୍ ଦେଖିଲେ ଆଇନମନ୍ତ୍ରୀ ଜାଣି ପାରିବେ । ପୌର ପରିଷଦ ଭାଙ୍ଗିବା ପରେ ଶାସକ ଦଳର ନିଦେ୍ର୍ଧଶ କ୍ରମେ ପୌରପ୍ରଶାସନ ଜାଣିଶୁଣି ସମସ୍ତ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟକୁ ଅଟକି ରଖିବା ବିରୋଧରେ ସ୍ୱର୍ଗତ ଦତ୍ତଙ୍କ କାର୍ଯ୍ୟଧାରା କ’ଣ ଥିଲା ତାହା ସହରବାସୀ ଭଲଭାବେ ଜାଣିଛନ୍ତି । ଚଳିତ ନିର୍ବାଚନରେ ସେମାନେ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଜିଲ୍ଲା ପ୍ରଭାରୀ ଗୋଲାକ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, କାଳିନ୍ଦୀ ସାମଲ, ରାଜ୍ୟ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଠାକୁର ରଣଜିତ୍ ଦାସ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।