ଅଭିଯୁକ୍ତମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଅପରାଧ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁଁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲ୍ଲାର ବନହରପାଲି ସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ପ୍ରକଳ୍ପରୁ ଚୋରି ଅଭିଯୋଗରେ ପୋଲିସ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି।
ଗତ ଶୁକ୍ରବାର ଦିନ ପ୍ରକଳ୍ପରେ କାର୍ଯ୍ୟରତ ବେଲପାହାଡ଼ର ବାଲାଜୀ କନଷ୍ଟ୍ରକ୍ସନ ମାଲିକ ବ୍ରଜକିଶୋର ସିଂହ ଥାନାରେ ଏତଲା ଦେଇ ତାଙ୍କ ପରିସରରୁ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ବନହରପାଲି ପୋଲିସ ତଦନ୍ତ କରି ୧୫ ଜଣଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି। ସମସ୍ତଙ୍କ କୋଭିଡ ପରୀକ୍ଷା ପରେ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବନହରପାଲି ଗ୍ରାମର ଚୈତନ ଧୁରୁଆ(୨୨),ପବିତ୍ର ଚନ୍ଦନ(୨୩),ହିରେନ୍ଦ୍ର ଚନ୍ଦନ(୪୦),କଣ୍ଟା ଧୁରୁଆ(୨୨),ଘନଶ୍ଯାମ ଧୁରୁଆ(୨୩), ପ୍ରତାପ ମାଝୀ(୨୪), ସଞୟ ଖିଲାରୀ(୨୩), ଧୋବାଡେରା ଗ୍ରାମର ଡକ୍ଟର ସେଠ୍(୨୮),ଋକ୍ମଣ କଣ୍ଟା(୨୬),କୁଳମଣି ପ୍ରଧାନ(୪୩),ବିନିକା ଗ୍ରାମର କୈଳାଶ ଭୂଏ(୨୯),ଆକାଶ ପ୍ରଧାନ(୨୦),ବିରେଶ ପ୍ରଧାନ(୩୨),ରାଜେଶ ମାଝୀ(୨୨), କୁମ୍ଭାରବନ୍ଧ ଗ୍ରାମର ଜିତେନ୍ଦ୍ର ରାଉତ(୨୭)।ଅଭିଯୁକ୍ତମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ପାଇଁ ମାମଲା ନମ୍ବର ୧୫୬/୨୦ ରୁଜୁ କରାଯାଇ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମରେ ଏଏସ୍ଆଇ ସନ୍ତୋଷ ବେହେରା, ଗୌତମ ବେହେରା,ଏସଆଇ ଏଲ୍ ପାତ୍ର ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ ।