ଓଡିଶାରେ କେତେ ପ୍ରକାର ଆଇନ ଅଛି: ଜଗନ୍ନାଥ ସେନା ଆବାହକ
ପୁରୀ,: କୋଭିଡ୍-୧୯ ନିୟମକୁ ଫୁ କରିଥିବା ବିଜେଡିର ଦୁଇ ହେଭିୱେଟ୍ ନେତାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଏତଲା ଦେଇଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ରବିବାର ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ମନ୍ତ୍ରୀ ସମିର ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଉଭୟ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ଥାଇ କିପରି ହଜାର ହଜାର ଲୋକଙ୍କ ଗହଣକୁ ଆସିଲେ ତାହା ଉପରେ ପ୍ରଶ୍ନ କରିଛନ୍ତି ସେନା ଆବାହକ ପ୍ରିୟଦର୍ଶନ।
ପ୍ରିୟଦର୍ଶନଙ୍କ କହିବା ଅନୁସାରେ ଯଦି ମହାପ୍ରଭୁଙ୍କ ରଥ ହେବା ସପକ୍ଷରେ ଦୀପ ଜଳାଇ ମୋତେ କୋଭିଡ୍ ନିୟମ ଉଲ୍ଲଂଘନ ଆଇନରେ ମକଦମା କରି ଗିରଫ କରାଗଲା ତାହେଲେ ୭ ଦିନ ତଳେ ଅର୍ଥାତ୍ ଗତ ୨୮ ତାରିଖରେ କରୋନାରେ ଆକ୍ରାନ୍ତ ଥିବା ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ ଆଇନରେ ଗିରଫ କରାଯିବ ନାହିଁ କାହିଁକି? କାହିଁକି ପୁରୀ ପୋଲିସ ଜାଣି ଶୁଣି କାର୍ଯ୍ୟାନୁଷ୍ଠାନ କରୁନାହିଁ? ଏହି ଦୁଇ ନେତାଙ୍କ ଯୋଗୁଁ ପୁରୀରେ ସଂକ୍ରମଣ ବଢିବାର ସମ୍ଭାବନା ବଢାଯାଇଛି ।
ସରକାର ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ କରୁଛନ୍ତି ଓ ସରକାରୀ ହେଭିୱେଟଙ୍କ ପାଇଁ କଣ ଅନ୍ୟ ଗୋଟେ ନିୟମ କରିଛନ୍ତି? ଆଇନ କେତେ ପ୍ରକାରର, ଓଡିଶାରେ କେତେ ପ୍ରକାରର ଆଇନ ରହିଛି ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରିୟଦର୍ଶନ ।