ହେଡଲାଇନସ୍:

ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଜିଲ୍ଲାରେ ଘନଘନ ବିଜୁଳି ବିଭ୍ରାଟ ବନ୍ଦ କରିବା ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ମାନେ ସ୍ଥାନୀୟ ଜେଲ ଛକଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ନୀତି ବିରୋଧୀ ବିଭିନ୍ନ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବର୍ତ୍ତମାନ କରୋନା ମହାମାରୀ ସମୟରେ ବହୁ ଗରିବ ଖଟିଖିଆ , କୁଲି ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କ ଜୀବିକା ହରାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ ଏଭଳି ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବା ଏହା ଲୋକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ , ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦରେ ତୀବ୍ର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

ସେହିଭଳି , ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ସହ ଅଘୋଷିତ ବିଦ୍ୟୁତ କାଟ ପ୍ରତି ଜନସାଧାରଣ ଓ ଛାତ୍ରଛାତ୍ରୀ ଅତିଷ୍ଠ ହୋଇ ପଡିଲେଣି । ବର୍ତ୍ତମାନ ପେଣ୍ଡାମିକ ସମୟରେ ସ୍କୁଲ ଓ କଲେଜ ଖୋଲି ନ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କେବଳ ଅନ୍ ଲାଇନ୍ ରେ ପାଠପଢା ହେଉଛି । ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠପଢାରେ ସମ୍ପୂର୍ଣ୍ଣ ଭାବେ ବ୍ୟାଘାତ ସୃଷ୍ଟି ହେବାର ଲାଗିଛି ।

ତେଣୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ କାଟର ଯଦି କୌଣସି ତୁରନ୍ତ ସମାଧାନ ନ ହୁଏ , ତେବେ ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ  ବରିଷ୍ଠ ନେତା ସି.ଏଚ୍. ସୀମାଦ୍ରୀ , ଜଗନ୍ନାଥ ମହାପାତ୍ର , ନଗର ସଭାପତି ଜମିଦାର ପଟ୍ଟନାୟକ , ପ୍ରଶାନ୍ତ ପାଳ , ଚିଟି ବାବୁ , ଶ୍ୟାମ ପାଣିଗ୍ରାହୀ  , ଚାପରା ତାରିକେଶ୍ୱରୀ , ଅରୁଣୀମା ସାହୁ ପ୍ରମୁଖ ସାମିଲ ରହିଥିଲେ ।

0
0
0
s2sdefault