ହେଡଲାଇନସ୍:

ମୁରବି ବିହୀନ ଓଡ଼ଗାଁଏନ୍ଏସି : ପରିମଳ ପରିଚାଳନାର ବୋପାମା ନାହାନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ପରିମଳ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ରାସ୍ତା ଉପରେ ଦିନ ଦିନ ଧରି ପଡି ରହୁଥିଲା ବେଳେ ମଲା ଗୋରୁ ଗାଇଙ୍କୁ ମଧ୍ୟ ଏନ୍ଏସି କର୍ତ୍ତୁପକ୍ଷ ସଠିକ ସମୟରେ ଉଠାଉ ନଥିବାରୁ ଏହା ପରିବେଶକୁ ନଷ୍ଟ କରୁଛି । ସୂଚନାନୁସାରେ, ୨୦୧୭ ମସିହା ଅଗଷ୍ଟ ୧୭ ତାରିଖରୁ ଓଡ଼ଗାଁ ପଂଚାୟତ ଅଧିନରୁ ମୁକ୍ତ ହୋଇ ଏନ୍ଏସି ମାନ୍ୟତା ପାଇଥିଲା । ମାତ୍ର ଦିର୍ଘ ୩ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଅବା ପ୍ରଶାସନିକ ଅବହେଳା କାରଣରୁ ଏହାର ଜନପ୍ରତିନିଧି ନିର୍ବାଚିତ ହୋଇ ପାରିନାହାଁନ୍ତି । ନୟାଗଡ଼ ଉପଜିଲ୍ଲାପାଳ ଏହାର ପ୍ରଶାସକ ଦାୟିତ୍ୱରେ ରହିଥିବା ବେଳେ ଏଠାରେ ନିର୍ବାହୀ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି । ନୟାଗଡ଼ର ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଓଡ଼ଗାଁ ଏନ୍ଏସିର ଦାୟିତ୍ୱରେ ରହିଛନ୍ତି । ଦୁଇଟି ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ବହୁ ସମୟ ଅନୁପସ୍ଥିତି କାରଣରୁ ଏଠାରେ କର୍ମଚାରୀ ମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଫଳରେ ଏଠାରେ ଢିଲା ଶାସନ ପାଇଁ ସହରର ସାଧାରଣ ଜନତା ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନର କରୋନା ମହାମାରୀ ସମୟରେ ସଂକ୍ରମଣ ଏବଂ ଏହାର ମୁକାବିଲାକୁ ପ୍ରଧାନ୍ୟ ଦିଆ ଯାଉଥିବା ବେଳେ ଓଡ଼ଗାଁ ଏନ୍ଏସିର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡିରହୁଛି । ଦୁର୍ଘଟଣା ଅଥବା ଅନ୍ୟ କୈାଣସି କାରଣରୁ ସହରରେ ମୃତ୍ୟୁ  ବରଣ କରୁଥିବା ବୁଲା ଗୋରୁ ଗାଇଙ୍କ ଶବକୁ ସଠିକ ସମୟରେ ଉଠା ଯାଉନଥିବା ଜଣାଯାଇଛି । ଦୁଇ ଦିନ ତଳେ ବିଇଓ ଅଫିସ୍ ନିକଟ ଓଡ଼ଗାଁ ସରକାରୀ ମଧ୍ୟଇଂରାଜି ବିଦ୍ୟାଳୟ କାନ୍ଥରେ କୈାଣସି ଗାଡି ଧକାରେ ଦୁୁର୍ଘଟଣାଗ୍ରସ୍ତ ଗୁରୁତର ଏକ ଗାଇ ମୃତ୍ୟୁ ବରଣ କରିଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ଏନ୍ଏସିରେ ଅଭିଯୋଗ କରିଥିଲେ । ସହରର ଏକ ମୁଖ୍ୟ ସ୍ଥାନରେ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ଅଭିଯୋଗ କରିବାର ଦୁଇ ଦିନ ପରେ ଗୋରୁ ଉଠାଯାଇଥିଲା । ପଚା ଗୋରୁଟିକୁ ଝୁଣି ଖାଇଥିବା ବୁଲା କୁକୁର ମଧ୍ୟ ପାଗଳ ହୋଇ ପାରନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେହିଭଳି ଭାବେ ବର୍ଷାଦିନ ପୂର୍ବରୁ ଡ୍ରେନ ଗୁଡ଼ିକର ସଫା କରିବା ଆବଶ୍ୟକତା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କୈାଣସି ଡ୍ରେନ ସଫେଇ ହୋଇନଥିବା ଏବଂ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହୁଥିବା ଜଣାଯାଇଛି । ଏମିତିକି ନିକଟରେ ନୂଆ ଡ୍ରେନ ନିର୍ମାଣ କରାଯାଇଥିବା ବେଳେ କେତେକ ସାହି ମୁହଁ ଡ୍ରେନରେ ପ୍ଲେଟ ପଡି ନଥିବାରୁ ଏବେବି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରେ ସାନବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।  

0
0
0
s2sdefault