ହେଡଲାଇନସ୍:

ଶେଷରେ ହାରିଗଲେ ମହାରଥୀ ଜୀବନ ଯୁଦ୍ଧରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ସତରେ ଯୁଦ୍ଧରେ କଣ ସେ ହାରିଗଲେ !! ସମସ୍ତଙ୍କୁ ଛାଡି ଚାଲିଗଲେ !!!  ସହଜରେ ବିଶ୍ୱାସ କରି ହେଉନି ଯେ  ନିଜ କଥାରେ , ନିଜ ଯୁକ୍ତିରେ ଓ ନିଜ ଦାମ୍ଭିକତା ଆଗରେ ସମସ୍ତଙ୍କୁ ସ୍ତବ୍ଧ ଚକିତ କରି ଦେଉଥିବା ମଣିଷଟା ଆଜି ନିସ୍ତେଜ ଓ ନିର୍ଜୀବ ପାଲଟି ଯାଇଛି | ସମସ୍ତଙ୍କ ଠୁ ମୋହ ଛିଣ୍ଡାଇ ଆରପାରିକୁ ଚାଲିଯାଇଛନ୍ତି ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ, ପିପିଲି ବିଧାୟକ ସର୍ବୋପରି ପ୍ରମୁଖ କଳା ସଂଗଠକ ପ୍ରଦୀପ ମହାରଥୀ ଆରପାରିକୁ ଚାଲିଗଲେ । ମାତ୍ର ୬୫ ବର୍ଷ ବୟସରେ  ଇହଲୀଳା ସମ୍ବରଣ କରିଛନ୍ତି ସମସ୍ତଙ୍କ ପ୍ରିୟ ପ୍ରଦୀପ ମହାରଥୀ । ଆଉ ଶୁଭିବନି " ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ" | ମହାରଥୀଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଵସ୍ଥାରେ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ନିଜର ପୂର୍ବତନ କ୍ୟାବିନେଟ ସହଯୋଗୀ ତଥା ବରିଷ୍ଠ ନେତା ଶ୍ରୀ ମହାରଥୀଙ୍କ ବିୟୋଗରେ ଶୋକାଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ "ବରିଷ୍ଠ  ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପିପିଲି ପ୍ରଦିପ ମହାରଥୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ  ମହାରଥୀଙ୍କୁ ବିଜୁ ଜନତା ଦଳର ଜଣେ ପୁରୁଖା ନେତା  ତଥା ବିଜୁ ବାବୁଙ୍କର ଦୀର୍ଘ ଦିନର ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ଅତୁଳନୀୟ ସଂଗଠନ କ୍ଷମତା ପାଇଁ ସେ କ୍ରମାଗତ ଭାବରେ 7 ଥର ପିପିଲିରୁ ଜିତିଥିଲେ। ସେ ଲୋକମାନଙ୍କର ଜଣେ ପ୍ରକୃତ ନେତା ଥିଲେ।" 

 ତାଙ୍କର ଶୋକ ସନ୍ତପ୍ତ ଶୋକସନ୍ତପ୍ତ ପରିବାର ଏବଂ ପାଇପିଲିବାସୀଙ୍କୁ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି | ସ୍ୱର୍ଗତ ପ୍ରଦିପ ମହାରଥୀଙ୍କ ମୃତଦେହକୁ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଶବଦାହ କରାଯିବ।

ଶ୍ରୀ ମହାରଥୀଙ୍କ ବିୟୋଗରେ ଶୋକବ୍ୟକ୍ତ କରଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।  ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍ ମିଜାସ୍ ତଥା କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ । ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ । ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି" 

 ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମନ୍ତ୍ରୀ ତଥା ତାଙ୍କ ବନ୍ଧୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ମୋର ଘନିଷ୍ଠ ରାଜନୈତିକ ବନ୍ଧୁ ତଥା ପିପିଲିର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀଙ୍କର ଆଜି ସକାଳେ ବିୟୋଗ ଖବର ଶୁଣି ମୁଁ ନିସ୍ତବ୍ଧ ଏବଂ ମର୍ମାହତ।ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦଗତି କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ।" 

ବରିଷ୍ଠ ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରିତିରଂଜନ ଘଡେଇ କହିଛନ୍ତି ଯେ "ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସତ; କିନ୍ତୁ କଳାପ୍ରେମୀ ସମସ୍ତଙ୍କର ପ୍ରିୟ ନଟୁ ଭାଇ,ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଭଗବାନ ଦିବଂଗତଙ୍କ ପରିବାରବର୍ଗଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ।" 

 ଜଣେ ସ୍ପଷ୍ଟବାଦୀ , ଦୃଢ଼ମନା ରାଜନୀତିଜ୍ଞ ଭାବରେ ସେ ବେଶ ପରିଚିତ । ମାତ୍ର ତିରିଶ ବର୍ଷ ବୟସରେ ସେ ପ୍ରଥମ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଶ୍ରୀ ମହାରଥୀ । ସେ ସରକାରୀ ଦଳରେ ଥାଇ ମଧ୍ୟ ବହୁ ଥର ସରକାରଙ୍କୁ ସମାଲୋଚନା ମଧ୍ୟ କରୁଥିଲେ । ଶ୍ରୀ ମହାରଥୀ ରାଜ୍ୟ ସରକାରଙ୍କ କୃଷି ତଥା ପଂଚାୟତିରାଜ ବିଭାଭାଗର  ମନ୍ତ୍ରୀ ପଦ ମଧ୍ୟ ସୁଚାରୁ ରୁପେ ସମ୍ପାଦନ କରି ବେଶ ସୁନାମ ଅର୍ଜନ କରିଛନ୍ତି । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ମହାରଥୀ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ୧୯୮୫ ମସିହାରେ ପିପିଲି ରୁ ସେ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ । ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠାରୁ ଲଗାତାର ଭାବେ ପ୍ରଦୀପ ମହାରଥୀ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରି କାଲି ରାତିରେ  ମୃତ୍ୟୁବରଣ କରିଛନ୍ତି । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ନିଜର ଦାୟିତ୍ବ ତୁଲାଇଥିଲେ । 

ଶ୍ରୀ ମହାରଥୀ ଙ୍କର ମରଶରୀର ବର୍ତ୍ତମାନ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ରଖାଯାଇଛି । ପରେ ତାଙ୍କର ମରଶରୀରକୁ ବିଧାନସଭା, ବିଜୁ ଜନତା ଦଳ ଅଫିସ, ଓ ପରେ ତାଙ୍କର ପିପିଲି ସ୍ଥିତ ଫାର୍ମ ହାଉସ କୁ ନିଆଯିବ ଏହାପରେ ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବାର ସ୍ଥିର କରାଯାଇଥିବା ସୂଚନା ମିଳୁଛି । ଶ୍ରୀ ମହାରଥୀ ଙ୍କର ମୃତ୍ୟୁ ଖବର ପାଇବା ପରେ ତାଙ୍କର ଭୁବନେଶ୍ୱର ବାସଭବନକୁ ଶ୍ରୀ ମହାରଥୀଙ୍କୁ ଶେଷ ଦର୍ଶନ କରିବା ପାଇଁ  ସାଧାରଣ ଜନତା ଙ୍କର ଠାରୁ ଆରମ୍ଭ କରି ବିଶିଷ୍ଠ ତଥା ଅତି ବିଶିଷ୍ଠ ବ୍ୟକ୍ତି ପହଂଛିବାରେ ଲାଗିଛନ୍ତି । ଶ୍ରୀ ମହାରଥୀ ଙ୍କର ବିୟୋଗରେ ରାଜ୍ୟ ଜଣେ ସ୍ପଷ୍ଟବାଦୀ ନିଡ଼ର ନେତାଙ୍କୁ ହରାଇଛି । ଶାସକ ପ୍ରଶାସକ ପରିବାର ତରଫରୁ ଶ୍ରୀ ମହାରଥୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

0
0
0
s2sdefault