• ରାଜ୍ୟର କରୋନା ସଂକ୍ରମିତଙ୍କ କାମରେ ଏହି ପ୍ଲାଜମା ଲାଗିପାରିଲେ, ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ
• ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବା ସହ ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ
ଭୁବନେଶ୍ୱର/କଟକ - କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ୱଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି । ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏଥିପାଇଁ ସମସ୍ତଙ୍କୁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଓଡିଶାକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ଲାଜମା ଦାନ କରିବା ପାଇଁ ମନରେ ଇଚ୍ଛା ଥିଲା । ଆଜି ଏହି ଆଶା ପୂରଣ ହୋଇଛି । ମୁଁ ଦେଇଥିବା ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ, ଏହା ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ ବୋଲି ସେ କହିଛନ୍ତି ।
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି | ସେ ଏକ ଟୁଇଟରେ କହଛନ୍ତି ହେ "ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଥିବାରୁ @dpradhanbjp ଙ୍କୁ ଅଶେଷ ଧନ୍ୟବାଦ। କୋଭିଡ ସଂକ୍ରମିତଙ୍କ ବହୁମୂଲ୍ୟ ଜୀବନ ରକ୍ଷା ପାଇଁ ପ୍ଲାଜମା ଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରୁଛି।"