ହେଡଲାଇନସ୍:

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟକୁ କ୍ଷୁଣ୍ଣ କରିବ ନାହିଁ- ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସମ୍ପର୍କିତ ୱେବିନାରରେ ଯୋଗଦେଲେ ପ୍ରାୟ ୧୦୦୦ ଶିକ୍ଷାବିତ

ପରିବର୍ତ୍ତିତ ପରିସ୍ଥିତିରେ ଉଚ୍ଚଶିକ୍ଷାରେ ସମୟୋପଯୋଗୀ ସଂସ୍କାର ପାଇଁ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ଉଦ୍ଦିଷ୍ଟ | ଓପିଏସସି ଦ୍ୱାରା ଶିକ୍ଷକ ଚୟନ ଓ ନିଯୁକ୍ତି ଦ୍ୱାରା ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ରକ୍ଷା ସହ ପ୍ରକ୍ରିୟା ତ୍ୱରାନିତ ହୋଇପାରିବ | ରାଜ୍ୟ ସିଲେକନ ବୋର୍ଡ ଦ୍ୱାରା ଅଣଶିକ୍ଷକ ପଦରେ ନିଯୁକ୍ତି ଦ୍ୱାରା ବିଶ୍ୱବିଦ୍ୟାଳୟ କଷ୍ଟକର ନିଯୁକ୍ତି ପ୍ରକ୍ରିୟାରୁ ମୁକ୍ତ ହୋଇଛନ୍ତି | ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ | କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡିକରେ ଦିର୍ଘମିଆଦି ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିବେ | ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ପକ୍ଷରୁ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ କରିବାର ନିଷ୍ପତ୍ତି ନେଇ ଏହାକୁ ସାର୍ବଜନୀନ କରିବାର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି | ପୂର୍ବରୁ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ଭିନ୍ନ ଭିନ୍ନ ଅଧିନିୟମ ରହିଥିବା ବେଳେ ପରିଚାଳନାରେ ସ୍ୱଚ୍ଛତା ଓ ସମାନତା ଆଣିବା ପାଇଁ ଏକୀକୃତ ଭାବେ ସମସ୍ତ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଅଧିନିୟମର ଅର୍ନ୍ତଭୁକ୍ତ କରାଯାଇଛି |

ଭୁବନେଶ୍ୱର(ଶାସକ ପ୍ରଶାସକ) : ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଡଃ.ସାହୁ କହିଲେ ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱାତନ୍ତ୍ର୍ୟ କ୍ଷୁଣ୍ଣ ହେବନାହିଁ । ଅପରପକ୍ଷରେ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡିକରେ ଦିର୍ଘମିଆଦି ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିବେ । ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପକ୍ରିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ । କୁଳପତିଙ୍କ ଦ୍ୱାରା ଗଠି୍ତ କମିଟିର ସୁପାରିଶ ଅନୁଯାୟୀ କୁଳାଧିପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇ ଥାଆନ୍ତି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହିଁ କିମ୍ବା କୁଳାଧିପତି ରାଜ୍ୟ ସରକାରଙ୍କ ସହମତି ଲୋଡନ୍ତି ନାହିଁ । ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷ ଭାବେ ବିବେଚିତ ହୋଇଥାଏ । ଏପରି କ୍ଷେତ୍ରରେ ଔଚିତ୍ୟ ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୁରେଇ ରଖିବା ବାଂଛନୀୟ । ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର , ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ବିହାର ପରି ରାଜ୍ୟ ତୁଳନାରେ ଓଡିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୁମିକା ନାହିଁ । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରକିୟାକୁ ତ୍ୱରାନିତ କରିବା ଲକ୍ଷ୍ୟରେ ଅଧିନିୟମର ସଂଶୋଧନ ଅଣାଯାଇ ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି ।

ବର୍ତମାନ ବିଶ୍ୱବିଦ୍ୟାଳୟ ଗୁଡିକର ସଂଖ୍ୟା ବୃଦ୍ଧି ପାଇଥିବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିରନ୍ତର ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ବହୁଳ ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡୁଛି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି । ଏପରି କ୍ଷେତ୍ରରେ ଏକ ସାମ୍ବିଧାନିକ ସଂସ୍ଥା ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ନୂତନ ବ୍ୟବସ୍ଥାରେ ଶିକ୍ଷକ ପଦବୀ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ପାଳନ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ ହୋଇପାରିବ । ସଂପ୍ରତି ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ ପଦବୀ ନିମନ୍ତେ ବହୁଳ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରୁଥିବା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାର୍ଥୀ ଚୟନ କ୍ରମଶଃ କଷ୍ଟ ସାଧ୍ୟ ଓ ସମୟ ସାପେକ୍ଷ ହୋଇପଡିଛି । ଓଡିଶା ବିଶ୍ୱବିଦ୍ୟାଳୟଳ ଅଧିନିୟମ ୧୯୮୯ରେ ସଂଶୋଧନ ପୂର୍ବରୁ ୬ରୁ ୭ଟି ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ ଠାରୁ ଅନୁମୋଦନ ଆଣି ଅଣଶିକ୍ଷକ ପଦବୀ ଚୟନ ନିମନ୍ତେ ରାଜ୍ୟ ସିଲେକସନ ବୋର୍ଡକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସିଲେକନ ବୋର୍ଡ ପରି କେନ୍ଦ୍ରିଭୂତ ସଂସ୍ଥା ଦ୍ୱାରା ନିଯୁକ୍ତ ଅଣଶିକ୍ଷକ ନିଯୁକ୍ତି ଦ୍ୱାରା ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜ ସ୍ତରରେ କଷ୍ଟକର ନିଯୁକ୍ତି ପ୍ରକ୍ରିୟାରୁ ମୁକ୍ତ ହୋଇଛନ୍ତି ।

ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୫୦୦ ପୃଷ୍ଟାରୁ ଅଧିକ ହେଉଥିବା ବେଳେ ବିଧାୟକ ମାନଙ୍କ ନିମନ୍ତେ ସମସ୍ତ ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ କପି ଯୋଗାଇବା କ୍ଷେତ୍ରରେ ଲକ୍ଷାଧିକ ପୃଷ୍ଠାର ଜେରକ୍ସ କପି ଆବଶ୍ୟକ ହେଉଥିବା ବେଳେ ଅଧିନିୟମରେ ସଂଶୋଧନ ଅଣାଯାଇ ଅଡିଟ ରିପୋର୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ କରିବାର ବ୍ୟବସ୍ଥା ରଖାଯାଇଛି ଏବଂ ଏହା ୱେବସାଇଟ ରେ ଅନ୍ତତ ପକ୍ଷେ ୩ ବର୍ଷ ନିମନ୍ତେ ପ୍ରଦର୍ଶିତ ହେବ । ପୂର୍ବରୁ ଅଡିଟ ରିପୋର୍ଟ ଜନସାଧାରଣଙ୍କ ହସ୍ତଗତ ହୋଇପାରୁନଥିବାବେଳେ ଏହାକୁ ସାର୍ବଜନୀନ କରାଯାଇଛି । ସମସ୍ତ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେଉଥିବାରୁ ଯଦି ରିପୋର୍ଟ କୌଣସି ଗୁରତର ଅସଙ୍ଗତି କଥା ଉଲ୍ଲେଖ କରିଥାଏ ତେବେ ସେ ସମ୍ପର୍କରେ ଓଡିଶା ବିଧାନସଭାରେ ଆଲୋଚନା ହୋଇପାରିବ । ଏଥି ସହିତ ବିଧାନସଭାର ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଦ୍ୱାରା ଉଚ୍ଚଶିକ୍ଷା ବିଭାଗରେ ସମିକ୍ଷା ସମୟରେ ଅଡିଟ ରିପୋର୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇପାରିବ । ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା କେବଳ ଆଳଙ୍କାରିକ ହୋଇଯାଇଥିଲା ଏବଂ ପରିଚାଳନା କ୍ଷେତ୍ରରେ ଏହାର ପ୍ରାୟତଃ ଅବଦାନ ନଥଲା । ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟର କୌଣସି ବୈଠକ ନବସିବା ଦ୍ୱାରା ଏହା ପ୍ରାସଙ୍ଗିକତା ହରାଇ ବସିଛି ।

ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟର ସିନେଟର ଆବଶ୍ୟକତା ଅନୁଭବ କରାଯାଉନଥିବା ଯୋଗୁ ଏହାର ଉଚ୍ଛେଦ କରାଯାଇଛି । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟ ନିମନ୍ତେ ଅଲଗା ଅଲଗା ଅଧିନିୟମ ଥିବାବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ ପ୍ରବର୍ତିତ ହେବାପରେ ସମସ୍ତ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିନିୟମକୁ ଉଚ୍ଛେଦ କରାଯାଇ ୧୯୮୯ ଅଧିନିୟମର ଅର୍ନ୍ତଗତ କରାଯାଇଛି । ତେଣୁ ପ୍ରଶାସନିକ ସୁବିଧା ନିମନ୍ତେ ରେଭେନସା ଅଧିନିୟମ ୨୦୦୫ ଉଚ୍ଛେଦ କରାଯାଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଅଧିନିୟମର ଅର୍ନ୍ତଭୁକ୍ତ କରାଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ । ପୂବପରି କୁଳପତି ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ । ସିଣ୍ଡିକେଟର ନିଷ୍ପତି ବହୁମତରେ ନିଆଯାଏ । ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁଣ୍ଣ ରହିବ ବୋଲି ମନ୍ତ୍ରୀ ଡ଼. ସାହୁ ମତବ୍ୟକ୍ତ କରିଛନ୍ତି । ୱେବିନାରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସଂଶୋଧିତ ଅଧ୍ୟାଦେଶର ମୁଖ୍ୟ ଦିଗ ବିଷୟରେ ବିଶଦ ଭାବରେ ଆଲୋଚନା କରି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟର ଅଧିନିୟମର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ଏହି ୱେବିନାରରେ ପ୍ରାୟ ୧୦୦୦ ଶିକ୍ଷାବିତ ଭାଗ ନେଇଥିଲେ ।

0
0
0
s2sdefault