କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ନୂତନ ଶିକ୍ଷା ନୀତି -2020 ରେ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର ପ୍ରବେଶ ଅନୁପାତ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଭଳି ରାଜ୍ୟରେ ଏହି ସଂଖ୍ୟା ଜାତୀୟ ସ୍ତରରେ କମ ରହିଛି। ତେଣୁ କେନ୍ଦ୍ରୀୟ ବିଦ୍ୟାଳୟର ଏକ ଶାଖା ବ୍ରଜରାଜନଗର ଭଳି ଶିଳ୍ପାଞ୍ଚଳରେ ନିହାତି ଆବଶ୍ୟକ ବୋଲି ମତ ରଖି ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ପତ୍ର ଲେଖି ଏଠାରେ ଏମସିଏଲକୁ ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ଶାଖା ଖୋଲିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଉଭୟ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଶାଖା ଖୋଲିବାକୁ ଅନୁରୋଧ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଏମସିଏଲ ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଅଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଶିକ୍ଷା ବିଭାଗ ସହ ମିଶି ଏହା ବ୍ରଜରାଜନଗରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ। ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନ ହେଲେ ଝାରସୁଗୁଡ଼ା, ନିକଟବର୍ତ୍ତୀ ଜିଲ୍ଲା ଓ ଏମସିଏଲର କର୍ମଚାରୀ ସମସ୍ତଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ଉପଲବ୍ଧ ହୋଇପାରିବ ବୋଲି ଉଭୟେ ଆଶା ବ୍ୟକ୍ତ କରିଛନ୍ତି।