ବାରିପଦା(ଦିଲ୍ଲୀପ ମହାନ୍ତି)- ସମ୍ବିଧାନ ସ୍ୱିକୃତି ପ୍ରାପ୍ତ ସାନ୍ତାଳୀ ଭାଷାକୁ ଓଡ଼ିଶାର ସଂଖ୍ୟାଲଘୁ ଭାଷାର ମାନ୍ୟତା, ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନ(ଡିପିଇପି) ଅଧୀନରେ ନିଯୁକ୍ତି ପ୍ରାପ୍ତ ସାନ୍ତାଳୀ ଭାଷା ପ୍ରଶିକ୍ଷକମାନଙ୍କୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସାମିଲ ସହ ନିୟମିତି କରାଯିବା, ଓଡ଼ିଶା ସରକାରଙ୍କ ମଙ୍ଗଳ ବିଭାଗ ଅଥବା ଏସଟିସେସି ଉନ୍ନୟନ ବିଭାଗ ଅଧୀନରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ଆଦିବାସୀ ଭାଷା ଶିକ୍ଷକମାନଙ୍କୁ ନିୟମିତ କରାଯିବା, ସାନ୍ତାଳୀ ଏକାଡେ଼ମୀ ବା ସ୍ୱତନ୍ତ୍ର ସାନ୍ତାଳୀ ଶିକ୍ଷା ପରିଷଦ ଗଠନ କରାଯିବା, ଚଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟ ବହୁ ପୂର୍ବରୁ ଶେଷ ହୋଇଥିବା ବେଳେ ସାନ୍ତାଳୀ ଭାଷାର ପାଠ୍ୟ ପୁସ୍ତକ ଅବ୍ୟାବଧି ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇ ପାରିନାହିଁ । ତେଣୁ ଖୁବ ଶୀଘ୍ର ସାନ୍ତାଳୀ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଉ, ସାନ୍ତାଳୀ ଡ଼ିଏଲଇଡ଼ି ତାଲିମ ପ୍ରାପ୍ତ ସମସ୍ତ ପ୍ରାର୍ଥୀ, ପ୍ରାର୍ଥୀନୀମାନଙ୍କୁ ଅବିଳମ୍ବେ ନିଯୁକ୍ତି ଦେବା, କୋଭିଡ଼-୧୯ କାରଣରୁ ଅନଲାଇନ ବା ଦୂରଦର୍ଶନ ମାଧ୍ୟମରେ ପାଠ ପଢ଼ା କାର୍ଯ୍ୟକ୍ରମ ପାହାଡ଼ିଆ ଦୁର୍ଗମ ଅଞ୍ଚଳ ଛାତ୍ରଛାତ୍ରୀମାନଙ୍କ ନିକଟରେ ଅପହଁଞ୍ଚ ହୋଇଥିବାରୁ ସେମାନଙ୍କ ନିମନ୍ତେ ସରକାର ଅବିଳମ୍ବେ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବା, ସାନ୍ତାଳ ସମ୍ପ୍ରଦାୟକଙ୍କ ସ୍ୱତନ୍ତ୍ର ଧର୍ମ ‘ସାରନା’ ମାନ୍ୟତା ପ୍ରଦାନ ସହ ୨୦୨୧ ଜନଗଣନାରେ ସ୍ୱତନ୍ତ୍ର କଲମ କଡ଼ରେ ବ୍ୟବସ୍ଥା କରାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରାଇବା, ଓଡ଼ିଶାର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିବାସୀମାନଙ୍କୁ ପେସା ଆଇନର ସୁଫଳ ପ୍ରଦାନ ସାଙ୍ଗକୁ ବିସ୍ଥାପିତ କରାନଯିବା ଏବଂ ଜଙ୍ଗଲ ଜମି ଅଧିନିୟମ ଆଇନର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟେକ ତହସିଲ ଅଧୀନରେ ସ୍ୱତନ୍ତ୍ର ସେଲ ଗଠନ କରାଯାଇ ସମସ୍ତଙ୍କୁ ଜଙ୍ଗଲ ଜମିର ପଟ୍ଟା ବଣ୍ଟନ କରାଯିବା ଆଦି ଦଶ ଦଫା ଦାବିକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଦେଉଳିସ୍ଥିତ ଜମ୍ଭୀରା ଡେ଼ମଠାରେ ସମସ୍ତ ସାନ୍ତାଳ ସଙ୍ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ କୁଠାବାଡ଼ି ଗ୍ରାମର ମାଝୀବାବା ତଥା ଓଡ଼ିଶା ଆଦିବାସୀ ସାମାଜିକ ଶିକ୍ଷା ସାଂସ୍କୃତିକ ସଂଘର ରାଇରଙ୍ଗପୁର ଶାଖାର ଆଜୀବନ ସଦସ୍ୟ ଓ କୁଠାବାଡ଼ି ଶାଖାର ସଭାପତି ଘାଟ ପାରଗାନା କାନ୍ଦରା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ସାନ୍ତାଳୀ ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ଉଦେ୍ଧଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସାନ୍ତାଳ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ଦାବିଗୁଡ଼ିକ ଓପରେ ଆଲୋଚନା କରାଯାଇ ଉପରୋକ୍ତ ଦାବିଗୁଡ଼ିକ ଉପରେ ସମସ୍ତ ବିଧାୟକମାନଙ୍କୁ ଅବଗତ କରାଯାଇ ଆସନ୍ତା ମୌସୁମୀ ଅଧିବେଶନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାନ୍ତାଳୀ ଏକାଡେ଼ମୀ, ଓଡ଼ିଶା ଆସେକା ଶାଖା, ଓଡ଼ିଶା ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ଆଦିବାସୀ ଛାତ୍ର ସଙ୍ଗଠନ, ଓଡ଼ିଶା ମାଝୀ ମାଡ଼ୱା ଓ ପାରଗାନା ମହଲ, ଓଡ଼ିଶା ସାନ୍ତାଳୀ ଶିକ୍ଷକ ସଂଘ, ସାରନା ଧର୍ମ, ଓଡ଼ିଶା ନାରୀ ଶକ୍ତି ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସାନ୍ତାଳ ସମ୍ପ୍ରଦାୟଙ୍କର ବିଭିନ୍ନ ସମସ୍ୟା ଓ ଦାବିଗୁଡ଼ିକ ମଧ୍ୟରୁ ଏହି ୧୦ ଦଫା ମୁଖ୍ୟ ଦାବିଗୁଡ଼ିକୁ ସରକାର ପୂରଣ ନ କରନ୍ତି ତେବେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଆଜିର ଏହି ବୈଠକରେ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଶେଷରେ ଓଡ଼ିଶା ସାନ୍ତାଳୀ ଏକାଡେ଼ମୀର ସାଂସ୍କୃତିକ ସମ୍ପାଦକ ତଥା ମାଝୀ ପାରଗାନା ମହଲ ଉପଦେଷ୍ଟା ସନେର ସିଂ ହାଁସଦାଃ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
୧୦ ଦଫା ଦାବି ପୂରଣ କରା ନ ଗଲେ ସାନ୍ତାଳୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଚେତାବନୀ
- Hits: 247