ବିଭାଗୀୟ ଅପାରଗତା କାରଣରୁ ଖତ ଖାଉଛି ନବନିର୍ମିତ କଟେଜ
ବରଗଡ :- ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯଟନ ସ୍ଥଳୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଯାତ୍ରୀ ତଥା ପର୍ଯଟକମାନଙ୍କର ସୁବିଧା ନିମନ୍ତେ ଏଠାରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଦ୍ଵାରା ଏକ ପାନ୍ଥନିବାସର ନିର୍ମାଣ ବହୁ ଦଶନ୍ଧି ପୂର୍ବରୁ କରାଯାଇଛି । ଏହି ପୁରୁଣା ପାନ୍ଥ ନିବାସକୁ ଲାଗି ବର୍ତ୍ତମାନ ବିଭାଗ ଦ୍ଵାରା ଚାରି ଗୋଟି ସୁନ୍ଦର କଟେଜ 80 ଲକ୍ଷରୁ ଉର୍ଧ୍ଵ ଟଙ୍କା ବ୍ୟୟରେ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ ହୋଇ ସାରିଛି । ଏଠାକୁ ଆସୁଥିବା ଯାତ୍ରୀ ତଥା ପର୍ଯଟକ ମାନଙ୍କର ସବୁ ପ୍ରକାର ସୁବିଧା କୁ ଆଖିଆଗରେ ରଖି ଏହି କୁଟୀର ଚାରୋଟି ନିର୍ମାଣ କରାଯାଇଥିଲା । ହେଲେ ଦୁଃଖର ବିଷୟ ଯେ ନିର୍ମାଣ ସମ୍ପୂର୍ଣ୍ଣ ହେବାର ବର୍ଷେ ଉପରେ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କର ଏଠାରେ ଦେଖା ମିଳୁନାହିଁ । ନିର୍ମାଣ କାମ କରିଥିବା ଠିକାଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ ହେଣ୍ଡ ଓଭର ନେବା ପାଇଁ ବିଭାଗକୁ ବାରମ୍ବାର ଜଣାଇ ଥିବା ସତ୍ୱେ କେହି ଆସୁ ନାହାନ୍ତି ।
ମୁଖ୍ୟ କଥାଟି ହେଲା ଆଜକୁ ପ୍ରାୟ ଚାରି ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏହି ପାନ୍ଥ ନିବାସରେ କୋଣସି କର୍ମଚାରୀ ନାହାନ୍ତି । ଜିଲ୍ଲାରେ ମାତ୍ର ବିଭାଗର ଜଣେ କର୍ମଚାରୀ ସେ ବରଗଡ଼ରେ ରୁହନ୍ତି । ଏପରି ସ୍ଥଳେ ଏଠାକାର ପରିସ୍ଥିତି କଣ ଥିବ ସହଜରେ ଅନୁମାନ କରାଯାଇ ପାରେ । ନୃସିଂହନାଥ ଅଞ୍ଚଳରେ ପ୍ରବଳ ମାଙ୍କଡ଼ । ଏହି ନବ ନିର୍ମିତ କଟେଜ ସବୁ ରକ୍ଷଣାବେକ୍ଷଣ ଅଭାବରୁ ଓ ଲୋକ ନଥିବା କାରଣରୁ ବର୍ତ୍ତମାନ ଭୁତ କୋଠି ପରା ଲାଗୁଛି । ଏହି ନବନିର୍ମିତ କଟେଜ ସବୁ ବିଭାଗ ତୁରନ୍ତ ନିଜର ଅଧୀନକୁ ନେଇ , ପୁରୁଣା କୋଠାର ଜରୁରୀ ମରାମତି କରାଇ ଏହି ପାନ୍ଥ ନିବାସରେ ସ୍ଥାୟୀ କର୍ମଚାରୀ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।