ହେଡଲାଇନସ୍:

ଘରେ ନ ପଶୁଣୁ ଚାଳ ବାଜିବା ଭଳି କମ୍ପାନୀକୁ ଆରମ୍ଭରୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଣି ଖୋଲିଲା କୋନକାଷ୍ଟ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟ , ବିକ୍ଷୋଭ ପ୍ରଦର୍ଶନ କଲେ ପୁରୁଣା କର୍ମଚାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ନେସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ (ଏନସିଏଲଟି)ର ମଧ୍ୟସ୍ଥତାରେ  ଏସ ଏମ ସି ପାୱାର ଜେନେରେସନ କମ୍ପାନୀ  ଶେଷରେ କୋନକାଷ୍ଟ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟକୁ କିଣି ନେବା ପରେ ଏହି ପ୍ଲାଣ୍ଟ ପୁନଶ୍ଚ ଆରମ୍ଭ ହେବାକୁ ଯାଉଛି। ମାତ୍ର ଘରେ ନ ପଶୁଣୁ ଚାଳ ବାଜିବା ଭଳି କମ୍ପାନୀ ଆରମ୍ଭରୁ ବିରୋଧର ଶୀକାର ହୋଇଛି। 

୪ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିବା କୋନକାଷ୍ଟ ଷ୍ଟିଲ ଏବଂ ପାୱାର ପ୍ଲାଣ୍ଟ ଏବେ ନୂତନ ମାଲିକାନାରେ ଖୋଲିବା ନିଷ୍ପତ୍ତି ହୋଇଛି। ଏଣୁ ଦୀର୍ଘ ଦିନର ବନ୍ଦ ପରେ କାରଖାନାକୁ ସଫାସୁତୁରା କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ପ୍ରଥମରୁ ହିଁ କମ୍ପାନୀ ଜିଲ୍ଲା ଓ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦେଇ ନିଯୁକ୍ତି ବାବଦରେ ନିଜ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିଦେଇଛି ବୋଲି ଅଭିଯୋଗ ଆଣିଛନ୍ତି ଏହା ପୂର୍ବରୁ କାର୍ଯ୍ୟ କରିଥିବା କର୍ମଚାରୀମାନେ। କୋନକାଷ୍ଟ ପ୍ଲାଣ୍ଟ ବନ୍ଦ ହେବା ପୂର୍ବରୁ ହିଁ ଏହା ଅନେକ କର୍ମଚାରୀଙ୍କୁ ଅନେକ ମାସର ଦରମା ନଦେଇ ଛଟେଇ କରି ଦେଇଥିଲା। ତେଣୁ କମ୍ପାନୀ ଖୋଲିବା ଖବର ପାଇବା ମାତ୍ରେ ଏହି ପୂର୍ବତନ କର୍ମଚାରୀମାନେ କୋଭିଡ କଟକଣା ସମୟରେ ନିୟମ କାନୁନକୁ ମଧ୍ୟ ଭୃକ୍ଷେପ ନ କରି କାରଖାନାର ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ସୂଚନାଯୋଗ୍ୟ ଯେ ଏହି ବିକ୍ଷୋଭ ପ୍ରଦର୍ଶନ ବିଷୟରେ  ସେମାନେ ଗତକାଲିଠାରୁ ହିଁ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ସୂଚିତ କରି ଦେଇଥିଲେ। କମ୍ପାନୀରେ ପୁନଃନିଯୁକ୍ତି ଓ ବକେୟା ଦରମା ପ୍ରଦାନ କରିବାକୁ ନେଇ ଏମାନେ ଦାବି ରଖିଥିଲେ। 

ବିକ୍ଷୋଭକାରୀମାନଙ୍କୁ ହଟିବାକୁ ବଡ଼ମାଲ ପୋଲିସ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେମାନେ ନିଜ ଜିଦରେ ଅଟଳ ରହିବାରୁ ଶେଷରେ ଆଡିସନାଲ ତହସିଲଦାର ଯୋବିତା ତିର୍କୀ ଓ ବଡ଼ମାଲ ଥାନାଧିକାରୀ ସେମାନଙ୍କ ସହ ଦୀର୍ଘ ତିନି ଘଣ୍ଟା ଆଲୋଚନା କରିଥିଲେ। ଅଧିକାରୀ ଏହା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେବା ପରେ ହିଁ ବିକ୍ଷୋଭକାରୀମାନେ ହଟିଥିଲେ। ମାତ୍ର ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି, ସେମାନେ ବାହାରର ଲୋକଙ୍କୁ କମ୍ପାନୀ ଭିତରେ ପୂରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

0
0
0
s2sdefault