ପୂର୍ବତନ ଫୁଟବଲ ଖେଳାଳୀ ହେଲେ ଜେଏମଡିର ସ୍ପୋର୍ଟସ କୋ ଅର୍ଡିନେଟର।
ତନୁଜାଙ୍କ ଭବିଷ୍ୟତ କେତେ ଦୂର ସୁରକ୍ଷିତ, ନିଶ୍ଚିତ କରିବେ ତ ପ୍ରଶାସନ ?
ଝାରସୁଗୁଡ଼ା:(ସୁଭାଷ ସହାରେ) -ଜାତୀୟ ଫୁଟବଲ ଖେଳାଳୀ ଭାବରେ ଦିନେ ନିଜର ପ୍ରତିଭାକୁ ପ୍ରମାଣିତ କରିଥିବା ତନୁଜା ବାଗେଙ୍କ ପରବର୍ତ୍ତୀ ସମୟ ଅତ୍ୟନ୍ତ ଦୟନୀୟ ହୋଇ ଯାଇଥିଲା। ଫୁଟବଲ ଛଡ଼ା ଜୀବନରେ ଆଉ କୌଣସି କଥାକୁ ଗୁରୁତ୍ବ ନ ଦେଇଥିବାରୁ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ ଏପରି କଷ୍ଟକର ହୋଇ ପଡ଼ିଥିଲା ଯେ ଶେଷରେ ଛେଳି ଚରାଇବାକୁ ବାଧ୍ୟ ହୋଇଥିଲେ। ଏହି ସବୁ ବୃତ୍ତାନ୍ତ ସେ ସମୟରେ ଗଣମାଧ୍ୟମରେ ପ୍ରକାଶ ହେବାରୁ ସରକାରଙ୍କ ଖେଳ ପ୍ରତିଭାଙ୍କ ପ୍ରତି କେତେ ଦରଦ ଅଛି, ତାହା ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଏହାପରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଯୋଗୁଁ ହୁଏତ ତାଙ୍କର ଆର୍ଥିକ ସମସ୍ୟା କିଛି ସମୟ ପାଇଁ କିଛି ମାତ୍ରାରେ ଦୂର ହୋଇଥିଲା ମାତ୍ର ତାହା ଦ୍ବାରା ତାଙ୍କର ଦାରିଦ୍ର୍ୟର କୌଣସି ଅନ୍ତ ହୋଇ ନଥିଲା। କିଛି ମାସ ପାଇଁ ଗୋଟିଏ ବେସରକାରୀ ଶିକ୍ଷା ଅନୁଷ୍ଠାନ ତାଙ୍କୁ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ନିଯୁକ୍ତି ମିଳିଲା, ମାତ୍ର ଏହା ତାଙ୍କ ଆର୍ଥିକ ସମସ୍ୟାକୁ କିଛି ମାତ୍ରାରେ ଦୂର କରିଥିବା ସତ୍ତ୍ୱେ ତାଙ୍କ ପ୍ରତିଭାର ଅପମାନ ଥିଲା। ଏହାପରେ ତାଙ୍କୁ ଚାକିରୀରୁ କାହିଁକି ବାହାର କରାଗଲା ଅଥବା ସେ ନିଜେ ଚାକିରି ଛାଡ଼ିଲେ, ଏକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ଯଦିବା ହୋଇ ନାହିଁ, ମାତ୍ର ସେ ପୁଣି ସର୍ବହରା ହେଲେ ଏହା ସତ୍ୟ ଥିଲା।
ବର୍ତ୍ତମାନ ତନୁଜା ବାଗେଙ୍କୁ ବେଦାନ୍ତର ଏକ ସହଯୋଗୀ କମ୍ପାନୀ ଜେଏମଡିର ସ୍ପୋର୍ଟସ କୋଅର୍ଡିନେଟର ଭାବରେ ନିଯୁକ୍ତି ମିଳିଛି। ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ବେଦାନ୍ତ ଲିମିଟେଡର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିନାଥ ସିଂ ତାଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ରଙ୍କ ସମେତ ବେଦାନ୍ତର ଅନ୍ୟାନ୍ୟ ଅଧିକାରୀ ଚନ୍ଦ୍ରଶେଖର ସାହୁ , ସୁନ୍ଦର ରାଜ , ପ୍ରଣୟ ଶତପଥୀ ଓ ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ମାତ୍ର ପ୍ରଶ୍ନ ପୁଣି ଉଠେ ଯେ ତନୁଜାଙ୍କ ଏହି ନିଯୁକ୍ତି କେତେ ଦୂର ସୁରକ୍ଷିତ। ଜେଏମଡିର ପ୍ରୋଜେକ୍ଟ ଶେଷ ହେବା ପରେ କ'ଣ ତନୁଜାଙ୍କ ଏହି ନିଯୁକ୍ତି ବଳବତ୍ତର ରହିବ? କ'ଣ ବେଦାନ୍ତ ବା ପ୍ରଶାସନ ତନୁଜାଙ୍କ ପାଇଁ ଏକ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିପାରନ୍ତେ ନାହିଁ? ଆଗକୁ ତନୁଜାଙ୍କ ପାଇଁ ନିୟତି କ'ଣ ସ୍ଥିର କରି ରଖିଛି, ତାହା ସମୟ ହିଁ କହିବ।