ହେଡଲାଇନସ୍:

ମୋଦିଙ୍କ ଜନ୍ମ ଦିବସକୁ ପାଳିଲା ଯୁବ କଂଗ୍ରେସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁବକଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ  “ରାଷ୍ଟ୍ରୀୟ ବେରୋଜଗାର ଦିବସ” ରୂପେ କଲା ପାଳନ 

ଭୁବନେଶ୍ୱର (ଶାସକ ପ୍ରଶାସକ) - ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ଦିବସକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ଯୁବ କଂଗ୍ରେସ କର୍ମୀମାନେ ପକୁଡି ଛାଣି ଏବଂ ତାକୁ ବିକ୍ରୟ କରି ଏହି ଦିବସକୁ ପାଳନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଦେଶର ନିରୀହ ଯୁବ ସମାଜର ଭୋଟ ଲୁଟି ନେଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର “ପକୋଡା ବିକ୍ରୀ ନିଯୁକ୍ତି” ମନ୍ତବ୍ୟକୁ ପୁଣି ଥରେ ଯୁବ ସମାଜକୁ ମନେପକାଇବା ପାଇଁ ଆଜି ଯୁବ କଂଗ୍ରେସ ପକ୍ଷରୁ ପକୋଡା ବିକ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଲେଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମଗ୍ର ଯୁବ ସମାଜକୁ ପ୍ରତାରିତ କରିଛନ୍ତି । ବେରୋଜଗାର ପରିସ୍ଥିତି ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଅଟୋମୋବାଇଲ୍ କ୍ଷେତ୍ରରେ ବ୍ୟାପକ ଛଟେଇ ଯୁବ ସମାଜକୁ ରାଜରାସ୍ତାରେ ଠିଆ କରିଦେଇଛି । ଦେଶକୁ ୫ ଟି୍ରଲିୟନ ଇକୋନୋମିର ସ୍ୱପ୍ନ ଦେଖାଉଥିବା ନରେନ୍ଦ୍ର ମୋଦିଙ୍କ ଶାସନରେ ଜିଡିପି -୨୩.୯% ରେ ପହଂଚିଛି । କରୋନା ପରିସ୍ଥିତିରେ ଯୁବକ ଯୁବତୀମାନେ ନିଜର ଜୀବିକା ହରେଇ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବେରୋଜଗାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ପ୍ୟାକେଜ ଘୋଷଣା କରୁନାହାନ୍ତି । ପ୍ରଧାନମନ୍ତ୍ରୀ ଘୋଷଣା କରୁଥିବା ଆତ୍ମନିର୍ଭରଶୀଳ ପ୍ୟାକେଜରେ ନିଯୁକ୍ତି ସଂପର୍କରେ କୌଣସି ସୂଚନା ହିଁ ନାହିଁ । ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ଏବଂ ଭୟଙ୍କର ବେରୋଜଗାର ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ, ଉର୍ଜିତ ପଟେଲ, ଖୋଦ୍ ଅର୍ଥମନ୍ତ୍ରୀଙ୍କ ସ୍ୱାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ କରକାଳା ପ୍ରଭାକର, ନୀତିଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ, ଅରବିନ୍ଦ ସୁବର୍ଣ୍ଣମ, ନୋବେଲ ବିଜେତା ଅଭିଜିତ ବାନାର୍ଜୀ ପ୍ରମୁଖ ନରେନ୍ଦ୍ର ମୋଦିଙ୍କୁ ସଚେତନ କରାଇବା ପରେ ମଧ୍ୟ ମୋଦୀ ଏହାକୁ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ନାହାନ୍ତି । ଭାରତରେ ଯୁବ ସମାଜର ଦୟନୀୟ ପରିସ୍ଥିତି ନରେନ୍ଦ୍ର ମୋଦୀଙ୍କ ଆଚ୍ଛାଦିନର  ଅଂଶ ବିଶେଷ ।

ଆଜି ଯୁବକମାନେ ଦିଶାହରା ଏଂବ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗକୁ ଏଡେଇ ଯାଉଛନ୍ତି । ପ୍ରଦେଶ ଯୁବ କଂଗ୍ରେସର ଆଜିର କାର୍ଯ୍ୟକ୍ରମକୁ ଚପାଇ ଦେବା ପାଇଁ କୋଭିଡ୍ ନିୟମ ଆଳରେ ଯୁବ କଂଗ୍ରେସ କର୍ମୀଙ୍କ ଠାରୁ ଫାଇନ୍ ଆଦାୟ କରିଥିଲା । ମାତ୍ର ସମସ୍ତ କୋଭିଡ୍ ନିୟମ ମାନି ଯୁବ କଂଗ୍ରେସ କାର୍ଯ୍ୟ କରିଥିଲା ବୋଲି ଡ. ଲେଙ୍କା କହିଛନ୍ତି । ଆଗାମୀ ଦିନରେ ଯୁବ କଂଗ୍ରେସ ପ୍ରତି ବ୍ଲକ ଓ ଜିଲ୍ଲାରେ ପକୁଡି ବିକ୍ରି କରି, ଭିକ୍ଷା ମାଗି, ଜୋତା ପଲିସ୍ କରି ସମଗ୍ର ରାଜ୍ୟରେ ପ୍ରତିବାଦ କରିବା ସହିତ ଆଗାମୀ ୭ ଦିନକୁ ଯୁବ କଂଗ୍ରେସ ‘ବେରୋଜଗାର ସପ୍ତାହ’ ରୂପେ ପାଳନ କରିବ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରକାଶ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ମାନସ କର, ରଂଜିତ ପାତ୍ର, ସ୍ୱାଗତ କର, ସଂକୁନା କହଁର, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଅଲିମ୍, ନିହାର ରଂଜନ ବେହେରା, ବିପ୍ଳବ ଶିଲାଦିତ୍ୟ, ବଟକୃଷ୍ଣ ରାଉତରାୟ, ଆଶୁତୋଷ ଲେଙ୍କା, ସୁମି୍ରତା ଜେନା, ବିଶ୍ୱରଂଜନ ଦାସ, ସୁନିଲ୍ ମାଟିଆ, ଗୌତମ ଦାସ, ଆଦିତ୍ୟ ପରିଡା, ଜ୍ଞାନରଂଜନ ରାଉତ, କାର୍ତିକେଶ୍ୱର କାଣ୍ଡି, ଇତିସ୍ମିତା ପାତ୍ର, ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault