ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନା କାର୍ଯ୍ୟକାରିତାକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି କେନ୍ଦ୍ରୀୟ ଯୋଜନାକୁ ସ୍ୱାଗତ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗରିବ ଉଠା ଦୋକାନୀ କ୍ଷୁଦ୍ର ବ୍ୟବସାୟୀ ଓ ବୁଲା ବିକାଳୀ ମହଲରେ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି ।
କରୋନା ମହାମାରୀରୁ ସୁରକ୍ଷିତ ରହିବା ଓ ତାର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରାଯିବା ସହ ଅନେକ କଟକଣା ଜାରୀ କରାଯାଇଥିଲା । ଫଳରେ ଏଭଳି ସମୟରେ ରାସ୍ତା କଡର ଗରିବ କ୍ଷୁଦ୍ର ବ୍ୟବସାୟୀ , ଉଠା ଦୋକାନୀ ଓ ବୁଲା ବିକାଳୀ ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।
କରୋନା ମହାମାରୀର ଏଭଳି ଦୁର୍ଦ୍ଦିନ ସମୟରେ ଜୀବନ ଜୀବିକାର ରୋଜଗାର କ୍ଷେତ୍ରରେ ପ୍ରଭାବିତ ହୋଇ ଆସିଥିବା ରାସ୍ତାକଡର ଗରିବ କ୍ଷୁଦ୍ର ବ୍ୟବସାୟୀ , ଉଠା ଦୋକାନୀ ଓ ବୁଲା ବିକାଳୀ ମାନଙ୍କ ଦୁଃଖ-କଷ୍ଟ ପ୍ରତି ସଦୟ ହୋଇ ଏବଂ ପୁଣି କିଭଳି ସେମାନେ , ସେମାନଙ୍କ ଜୀବନ ଜୀବିକା ଆରମ୍ଭ କରିପାରିବେ , ସେହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତରେ ଆରମ୍ଭ କରାଗଲା ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନା ।
ତେବେ ଏହି କେନ୍ଦ୍ରୀୟ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁନ ମାସର ପହିଲାରେ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଗତ ୩ ମାସ ମଧ୍ୟରେ ଏହି ଯୋଜନାରେ ପାରଳାଖେମୁଣ୍ଡି ସହରରେ ରାସ୍ତା କଡାର ପ୍ରାୟ ୩୦୦ ଜଣ ଗରିବ କ୍ଷୁଦ୍ର ବ୍ୟବସାୟୀ , ଉଠା ଦୋକାନୀ ଓ ବୁଲା ବିକାଳୀ ଚିହ୍ନଟ ହୋଇ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୪୨ ଜଣ ଏହି କେନ୍ଦ୍ରୀୟ ଯୋଜନାରେ ଉପକୃତ ହୋଇ ପାରିଛନ୍ତି । ଅବଶିଷ୍ଠ ସମ୍ପୃକ୍ତ ମାନେ ଏହି ଯୋଜନାରେ ବ୍ୟାଙ୍କରୁ ଋଣ ଟଙ୍କା ସହାୟତା ପାଇବା ପାଇଁ ଆବେଦନ କରିଥିବା ଜଣାଯାଇଛି ।
କରୋନା ଭଳି ଦୁର୍ଦ୍ଦିନ ସମୟର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ପ୍ରାୟ ୫ ମାସ ଧରି ଦୋକାନ-ବଜାର ଓ ଯାତାୟାତ ସବୁ ଠପ ହୋଇ ଯାଇଥିଲା । ଏଭଳି ଦୁର୍ଦ୍ଦିନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ମିଳିଥିବା ଆର୍ଥିକ ଋଣ ସହାୟତା ସେମାନଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ହୋଇଛି ।
ଏହି କେନ୍ଦ୍ରୀୟ ଯୋଜନାରେ ଅନେକ ଗରିବ କ୍ଷୁଦ୍ର ବ୍ୟବସାୟୀ , ଉଠା ଦୋକାନୀ ଓ ବୁଲା ବିକାଳୀ ଅତି ସହଜରେ ସଂପୃକ୍ତ ବ୍ୟାଙ୍କରୁ ସେମାନଙ୍କ ଆର୍ଥିକ ଋଣ ସହାୟତା ଟଙ୍କା ଉଠାଇ ପାରୁଛନ୍ତି । ଆମେ ଏହି ଟଙ୍କାଦ୍ୱାର ବେଶ ଉପକୃତ ହୋଇପାରୁଛୁ , ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ରାସ୍ତା କଡରେ ପକାଇଥିବା ଏପୁଲ-ଅଙ୍ଗୁର ଦୋକାନୀ ଡି . ଆପ୍ପାନା ଓ ପଇଡ଼ ଦୋକାନୀ କଳିଙ୍ଗ ମିନା କହିଛନ୍ତି।











