ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍
ଭୁବନେଶ୍ୱର,(ଶାସକ ପ୍ରଶାସକ) : ନିକଟରେ ସୁରଟ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ କିପରି ସାହାଯ୍ୟ କରାଯିବ ସେ ନେଇ ତତ୍ପରତା ପ୍ରକାଶ କରିଥିଲେ । ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗଞ୍ଜାମର କିଛି ବ୍ୟକ୍ତି ଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । କୌଣସି ପିଲା ଅବହେଳା ହେତୁ ହେଉ ବା କୌଣସି କାରଣ ଯୋଗୁଁ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଜାଣିଲେ ଶ୍ରୀ ସାମନ୍ତ ତୁରନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଥାଆନ୍ତି । ସେହି ଦୃଷ୍ଟିରୁ ଶ୍ରୀ ସାମନ୍ତ ନିଜ କର୍ମଚାରୀଙ୍କୁ ପଠାଇ ଗଞ୍ଜାମ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚାନ କରିଥିଲେ । ଏହି ପରିପ୍ରେକ୍ଷୀରେ କିସ୍ ଫାଉଣ୍ଡେସନ୍ ଜରିଆରେ କିସ୍ର ଯେ କୌଣସି ଜିଲ୍ଲା ଶାଖାରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୪ ପରିବାରର ପିଲାଙ୍କ ପଢ଼ା ଦାୟିତ୍ୱ ବହନ କରିବାକୁ ସାଂସଦ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେବା ସହ ଦୁଇ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ କିସରେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ତିନି ଅନାଥ ପିଲାଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । ଦୀର୍ଘ ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତ ଜୁଲାଇ ୨୪ତାରିଖରେ ମାଆକୁ ହରାଇ ତିନି ଭାଇ ଭଉଣୀ ଅନାଥ ହୋଇଯାଇଛନ୍ତି । ଏହି ଖବର ଶ୍ରୀ ସାମନ୍ତଙ୍କ ନଜରକୁ ଆସିବା ପରେ ଶ୍ରୀ ସାମନ୍ତ କିସ୍ ଫାଉଣ୍ଡେସନ୍ ଜରିଆରେ ଏହି ଅନାଥ ପିଲାଙ୍କ ଚଳିବା ପାଇଁ ମାସିକ ୫ ହଜାର ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହା ସହିତ କିସ୍ର କୌଣସି ଜିଲ୍ଲା ଶାଖା କିମ୍ବା କିଟରେ ତାଙ୍କ ଛୋଟ ଭାଇ ଭଉଣୀଙ୍କ ଶିକ୍ଷା ପାଇଁ ବନ୍ଦୋବସ୍ତ କରିବା ନେଇ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । କିସ୍ ଫାଉଣ୍ଡେସନ୍ର ଏଭଳି ମହତ କାର୍ଯ୍ୟକୁ କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନେ ପ୍ରଶଂସା କରିବା ସହ ସାଂସଦ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, କୌଣସି ପିଲାର ପିତା ବା ମାତା ବା ଉଭୟ କୌଣସି କାରଣରୁ ମୃତ୍ୟୁବରଣ କଲେ ସେହି ପିଲାମାନଙ୍କ ପାଠ ପଢ଼ା ଯେପରି ବାଧା ପ୍ରାପ୍ତ ନ ହୁଏ ସେଥି ପ୍ରତି କିସ୍ ଫାଉଣ୍ଡେସନ୍ ସର୍ବଦା ଗୁରୁତ୍ୱ ଦେଇ ଆସିଛି । ଏଭଳି ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରି ସେମାନଙ୍କ ଭବିଷ୍ୟତର ସ୍ଥାୟୀ ସମାଧାନ କରିବା ହେଉଛି କିସ୍ ଫାଉଣ୍ଡେସନ୍ର ଲକ୍ଷ୍ୟ ।