ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ବହୁ ବାଦ ବିବାଦ ଓ ବିରୋଧ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବନ୍ଦ କରି ସେଠାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କରାଗଲା । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କ ଏହି ଭୁଲ ନିଷ୍ପତ୍ତି ପରେ ଜିଲ୍ଲା ର ଅଣ କୋଭିଡ ରୋଗୀ ଙ୍କ ଦୁଃଖ କଷ୍ଟ ଓ ଯନ୍ତ୍ରଣା କହିଲେ ନସରେ । ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଲା ଅର୍ଦ୍ଧ ଭଗ୍ନ କୋଠା ସଦୃଶ୍ୟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭାଗ ଭାଗ କରି ସହରର ବିଭିନ୍ନ ଅଞ୍ଚଳ ଥିବା ଚିକିତ୍ସା କେନ୍ଦ୍ର ମାନଙ୍କରେ ରୋଗୀ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଗଲା । ଜିଲ୍ଲାବାସୀ କୋଭିଡ ଚିକିତ୍ସାର ଗୁରୁତ୍ୱକୁ ବୁଝି ପରିସ୍ଥିତି ସହିତ ଖାପ ଖୁଏଇବା କୁ ଚେଷ୍ଟା କଲେ । କିନ୍ତୁ ଯେଉଁଥିପାଇଁ ଜିଲ୍ଲାବାସୀ ଦୁଃଖ ଭୋଗିଲେ ସେଇ କୋଭିଡ ଡାକ୍ତରଖାନା ର ଅବସ୍ଥା ଓ ବ୍ୟବସ୍ଥା ବିଭାଗୀୟ କତ୍ତୃପକ୍ଷ ଙ୍କ ନିଷ୍କ୍ରିୟତା ଓ ଦୁର୍ନୀତି ଯୋଗୁଁ ସାଜିଲା ନର୍କକୁଣ୍ଡ । ଦୈନନ୍ଦିନ ଆସିଲା ନୂଆଁ ନୂଆ ସମସ୍ୟାର ଚିତ୍ର ଓ ଚଳଚିତ୍ର, ବଢ଼ିଲା ଅଭିଯୋଗ ର ଫର୍ଦ୍ଦ ଓ ଲମ୍ବିଲା ମୃତକ ଙ୍କ ତାଲିକା । ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କୁ ଏକାଧିକବାର ଭେଟି ବିଷୟ ଅବଗତ କରାଇବା ଓ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ କଲା ପରେ ମଧ୍ୟ ମିଳିଲା ନାହିଁ କୌଣସି ସୁଫଳ । ବିଜେପି କିନ୍ତୁ ନିଜର ଚିରାଚରିତ ଢଙ୍ଗରେ ଲୋକଙ୍କ ସମସ୍ୟା ପାଇଁ ଲଢେଇ ଜାରି ରଖିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ଭେଟିଛି ରାଜ୍ୟ ର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କୁ । ଆଜି ଶ୍ରୀ ତ୍ରିପାଠୀ ଙ୍କ ସମ୍ବଲପୁର ଗସ୍ତ ଖବର ପାଇ ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପହଞ୍ଚି ଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କୋଭିଡ ଡାକ୍ତରଖାନାକୁ । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କୋଭିଡ ଡାକ୍ତରଖାନା ରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ସାକ୍ଷାତ କରି ସମସ୍ତ ସମସ୍ୟାଗୁଡିକ ବିଷୟରେ ଅବଗତ କରେଇ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସମସ୍ତ ବିଷୟରେ ଆଲୋଚନା ପରେ ଆବଶ୍ୟକ ମୁତାବକ ଚିକିତ୍ସକ, ନର୍ସ, ଆଟେଣ୍ଡେଣ୍ଟ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପ୍ରତିନିଧି ଙ୍କୁ ପ୍ରତିଶୃତି ଦେଇଥିଲେ ।
ଏହି ଅବସରରେ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ସରୋଜ କୁମାର ଘଡାଇ, ପ୍ରଦୀପ ବେହେରା, ରୂପେଶ କୁଅଁର, ଦୟାନିଧି ବେହେରା, ସୌମିତ୍ର ଜତି, ଦିଲୀପ ଶର୍ମା, ଅନିଲ ସୁନା, କୃଷ୍ଣ ସୁନା, ପିଣ୍ଟୁ ଓରାମ, ଉଲ୍ଲାଶ ବାରିକ, ଆଲୋକ ନାଏକ, ଅନିଲ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।