● 24 ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ 62,282 ରୋଗୀ
● ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ଓ ଆରୋଗ୍ୟ ହାର ବୃଦ୍ଧି
ନୂଆଦିଲ୍ଲୀ(ଶାସକ ପ୍ରଶାସକ): ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62,282 ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି । ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା 21.5 ଲକ୍ଷ ଅର୍ଥାତ 21,58,946କୁ ଅତିକ୍ରମ କରିଛି । ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ 14,66,918 ହୋଇଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ସୁସ୍ଥତା ହାର ଶତକଡା 74ରୁ ବୃଦ୍ଧି ପାଇ ଆଜି 74.28 ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି । ଦେଶର 33ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା 50ରୁ ଅଧିକ ହୋଇଛି । ବର୍ତ୍ତମାନ 6,92,028 ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ଦେଶର ସମୁଦାୟ ସଂକ୍ରମିତ ରୋଗୀ ସଂଖ୍ୟାର ଶତକଡା 23.82 ବୋଲି ଜଣାପଡିଛି । ସମସ୍ତ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସକ୍ରିୟ ଉପଚାର, ଉତ୍କୃଷ୍ଟ ଆମ୍ବୁଲାନ୍ସ ସେବା ଓ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଉଚିତ ପରାମର୍ଶ ଇତ୍ୟାଦି ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ଭ୍ରାସ ପାଇଛି । ବିଶ୍ଵରେ ଅନ୍ୟାନ୍ୟ ଦେଶ ତୁଳନାରେ ଏହା କମ ଥିବା ବେଳେ ହାରାହାରି ମୃତ୍ୟୁହାର 1.89 ପ୍ରତିଶତରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 8,05,985ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା 3,03,467,237ରେ ପହଞ୍ଚିଛି । ସେହିପରି ନମୁନା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ 1504ଟି ପରୀକ୍ଷାଗାରେ ରହିଛି । ସେଥିମଧ୍ୟରୁ 978ଟି ସରକାରୀ ଓ 526ଟି ଘରୋଇ ପରୀକ୍ଷାଗାରଗୁଡିକରେ ନମୁନା ପରୀକ୍ଷଣ କରାଯାଉଛି ।