ହେଡଲାଇନସ୍:

ଆଜି ପୁରା ଉଆଁସ, କରୋନା ପାଇଁ ଉତ୍ସାହ କମିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ଆଜି ଭାଦ୍ରବ ଅମାବାସ୍ୟା । ଆଜି ଦିନକୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ର ବିଭିନ୍ନ ଗ୍ରାମ ଗୁଡିକରେ ପୁରା ଉଆଁସ ଭାବରେ ପାଳନ କରିଥାଆନ୍ତି । ବାଳକମାନେ ଚକ ଲଗା ମାଟି ଓ କାଠ ନିର୍ମିତ ଘୋଡା ହାତୀ ଦଉଡିରେ ଟାଣି ଗାଆଁ ଦାଣ୍ଡରେ ଖେଳିଥାନ୍ତି । ବାଳିକା ମାନେ ବାଉଁଶ ତିଆରି ଡାଲିଆ, ଚାଙ୍ଗୁଡି, କୁଲେଇ ଓ ପୋଡା ମାଟିରେ ନିର୍ମିତ କାଞ୍ଚି, କୁଣ୍ଢିରେ ଘଣା ହାଣ୍ଡିରେ ଭଜା ଯାଇଥିବା ଉଖୁଡା ଓ ବିଭିନ୍ନ କିସମର ଚଣା ରଖି ଖେଳିଥାନ୍ତି । ସେଥିପାଇଁ ସପ୍ତାହେ ପୁର୍ବରୁ ସବୁ ସାମଗ୍ରୀ ସଂଗ୍ରହ କରାଯାଇଥାଏ । ବ୍ଲକ ର ବିଭିନ୍ନ ଦୈନିକ ଓ ସାପ୍ତାହିକ ହାଟ ମାନଙ୍କରେ ଏ ସବୁ ସାମଗ୍ରୀ ବିକ୍ରି ହୋଇଥାଏ । ବଢେଇ ମାନେ କାଠର ଓ କୁମ୍ଭାର ମାନେ ପୋଡା ମାଟିରେ ପ୍ରସ୍ତୁତ ଘୋଡା ହାତୀ କାଞ୍ଚି କୁଣ୍ଢି ବିକ୍ରି କରୁଥିବା ବେଳେ ବାଉଁଶ କାମ କରୁଥିବା ବେତ୍ରା ଓ ମାହାର ଜାତିର କାରିଗରମାନେ ଡାଲିଆ, ଚାଙ୍ଗୁଡି,କୁଲେଇ ଆଦି ବିକ୍ରୀ କରିଥାଆନ୍ତି । ସେହିପରି ଚାଷୀ ଓ ବ୍ୟବସାୟୀ ମାନେ ମୁଗ, ହରଡ, ମଟର, ତିଆସି, ମକା, ଝଣ୍ଟା ମଞ୍ଜି ଆଦି ବିଭିନ୍ନ ଚଣା ବିକ୍ରୀ କରୁଥିବା ଦେଖିବାକୁ ମିଳେ ।

ଚଳିତବର୍ଷ କରୋନା ପାଇଁ ପୁରା ଉଆଁସ ପର୍ବରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ । ଜ୍ୟୋତିଷ  ମାନଙ୍କ ମତ ଅନୁସାରେ ଅମାବାସ୍ୟା ଦୁଇ ଦିନର କିଛି କିଛି କାଳ ଭୋଗ କରୁଥିବା ହେତୁ ଗତକାଲି ମଧ୍ୟ ଉପଖଣ୍ଡ ର  କିଛି ଗ୍ରାମରେ ପୁରା ଉଆଁସ ପାଳିତ ହୋଇଯାଇଛି । ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ପର୍ବକୁ ବଞ୍ଚାଇ ରଖିବା ପାଇଁ ଆଜି ରେଢାଖୋଲ ଉପଖଣ୍ଡ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ କୃଷିଭିତ୍ତିକ ପୁରା ଉଆଁସ ପର୍ବ ପାଳନ କରାଯାଉଛି ।

0
0
0
s2sdefault