ବଲାଣୀ (ଶାସକ ପ୍ରଶାସକ) : ବଡ଼ବିଲ ଓ ବଲାଣି ରେଳ ସାଇଡ଼ିଂରୁ ଶ୍ରମିକଙ୍କୁ ହଟାଇ ମେସିନ୍ ଦ୍ୱାରା ଲୋଡ଼ିଂ କାର୍ଯ୍ୟ କରିବାକୁ ମସୁଧା ଚଳାଉଥିବା କେତେକ ଭଦ୍ରବ୍ୟକ୍ତି ଯେଉଁ କପୋଳକଳ୍ପିତ ଓ ହାସ୍ୟାସ୍ପଦ ବିବୃତି ଦେଇଛନ୍ତି ତା କେବଳ ଧର୍ମକୁ ଆଖିଠାର ତଥା ସ୍ଥାନୀୟ ଶ୍ରମିକଙ୍କୁ ବିଭ୍ରାନ୍ତ କରି ଲୋଡ଼ିଂ ମେସିନ୍ ସାହାଯ୍ୟରେ ନିଜେ ମୁନାଫା କମାଇବା ନିମନ୍ତେ ଏକ ଘୃଣ୍ୟ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବଲାଣି ଠିକା ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ କମଳାପତି ଯାଦବ ଆଜି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ପ୍ରଥମତଃ “ବିଜୁ କଲ୍ୟାଣ ଲୋଡ଼ିଂ ଏଜେନ୍ସି’’ ନାମରେ କୌଣସି ଲୋଡ଼ିଂ ଠିକାଦାର କମ୍ପାନୀ ଲୋଡ଼ିଂ କରୁନାହିଁ ବୋଲି ଶ୍ରୀ ଯାଦବ ସ୍ପଷ୍ଟ କରିଛନ୍ତି । ଶ୍ରୀ ଯାଦବ ଆହୁରି କହିଛନ୍ତି କି “ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଅପବ୍ୟବହାର କରି ଶ୍ରମିକକୂଳକୁ କାର୍ଯ୍ୟରୁ ଅନ୍ତର କରିବା ଓ ମେସିନ୍ ଦ୍ୱାରା ଲୋଡ଼ କରି ହାତ ଚିକ୍କଣ କରିବାକୁ ମନ ବଳାଇଥିବା ଲୋକେ ଶେଷରେ ହତାଶ ହେବା ହିଁ ସାର ହେବ । ଯେଉଁ ବ୍ୟକ୍ତିବିଶେଷ ଆଜି ଏ ଭଳି ମିଥ୍ୟା ବିବୃତି ଦେଇଛନ୍ତି ସେମାନେ ମନେ ରଖିବା ଉଚିତ୍ ଯେ ସେମାନେ ନିଜେ ଅତୀତରେ କଂଗ୍ରେସ ଝଣ୍ଡା ଉଡ଼ାଉଥିବାବେଳେ ଆମେ ବିଜୁ ବାବୁଙ୍କ ଆଦର୍ଶକୁ ପ୍ରଚାର କରିବାରେ ଲାଗିଥିଲୁ ।’’
ସେ କହିବା ଅନୁଯାୟୀ ଯେଉଁ ଦର ଧାର୍ଯ୍ୟ କରି ସେହି ଠିକାଦାରମାନେ ଲୋଡ଼ିଂ କାମ ଆଣିଛନ୍ତି ସେହି ଦରରେ ବଲାଣି ସାଇଡ଼ିଂରେ କାମ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଥିବାବେଳେ ଏହା କେବଳ ଶ୍ରମିକ ହଟାଇ ମେସିନ ପ୍ରଚଳନର ହୀନ ଉଦ୍ୟମ ବୋଲି ସ୍ପଷ୍ଟ ପ୍ରତୀୟମାନ ହୁଏ । ବଲାଣି ସାଇଡ଼ିଂରେ ୭୫୦ ଜଣ ଶ୍ରମିକ କାର୍ଯ୍ୟରତ ଥିବା ସ୍ଥଳେ ସେମାନଙ୍କ ଦୈନିକ ମଜୁରୀ, ଲିଭ୍, ସିକ୍ ବୋନସକୁ ଛାଡ଼ି ସେମାନେ କୌଣସି କାରଣ ବଶତଃ ଠିକାଦାର ସଂସ୍ଥା ତାଙ୍କୁ କାର୍ଯ୍ୟ ଯୋଗାଇ ନ ପାରିଲେ ତାଙ୍କୁ ଦିଆଯାଉଥିବା ‘ଆଇଡ଼ିଲ ୱେଜେସ୍’ ଇତ୍ୟାଦିକୁ ମିଶାଇ ଟନ୍ ପିଛା ଅତି କମରେ ୪୦ ରୁ ୪୫ ଟଙ୍କା ଖର୍ଚ୍ଚ ହେବ ହିଁ ହେବ । ଟନ୍ ପିଛା ୧୦ ରୁ ୧୨ ଟଙ୍କା ମେସିନ୍ ବାବଦରେ ଖର୍ଚ୍ଚ ହୋଇଥାଏ । ଶ୍ରମିକଙ୍କ ବ୍ୟତୀତ ଉକ୍ତ ସାଇଡ଼ିଂରେ ୫୦ ରୁ ୬୦ ଜଣ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି । ଏଣୁ ଟନ୍ ପିଛା ମାତ୍ର ୩୬ ଟଙ୍କା ଦରରେ କାମ ଆଣିଥିବା ଠିକାଦାରମାନେ ଶ୍ରମିକଙ୍କୁ ଅପସାରିତ କରି ଲୋଡ଼ିଂ ମେସିନ୍ ଲଗାଇବା କିମ୍ବା ଶ୍ରମିକଙ୍କ ବୋନସ୍, ଲିଭ୍, ସିକ୍ ଇତ୍ୟାଦି ବାବଦକୁ ଉଦ୍ଧିଷ୍ଟ ଅର୍ଥ ହଡ଼ପ କରିବା ଚକ୍କରରେ ଥିବା କଥା ସ୍ଥାନୀୟ ଶ୍ରମିକମାନେ ମଧ୍ୟ ବେଶ ଜାଣିଗଲେଣି ।
ଉକ୍ତ ରେଲୱେ ସାଇଡ଼ିଂଗୁଡ଼ିକରେ କାର୍ଯ୍ୟରତ ପ୍ରତ୍ୟେକ ଶ୍ରମିକଙ୍କର ବ୍ୟାଙ୍କରେ ଜମାଖାତା ଖୋଲାଯାଇ ‘ମନି ଟ୍ରାନସଫର’ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରାଯାଇଥାଏ । ଶ୍ରମିକଙ୍କୁ ଆଦୌ ନଗଦ ଅର୍ଥ ପ୍ରଦାନ ନ କରାଯାଇ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ବେଳେ ଏଥିରେ ଏକ ପଇସା ମଧ୍ୟ ହେରଫେର ହେବାର ଅବକାଶ ଆସୁଛି କେଉଁଠି ?
ଯେଉଁ ବ୍ୟକ୍ତିବୃନ୍ଦ ଆଜି ଏହି ପରି ଅଭିସନ୍ଧିମୂଳକ ବିବୃତି ରଖୁଛନ୍ତି ସେହି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଅତୀତରେ ବିଭିନ୍ନ ଖଣି ଅଞ୍ଚଳର ଖଣି ଲିଜଧାରୀଙ୍କଠାରୁ ‘ଟନ୍ ପିଛା ଅସୁଲି’ କରୁଥିବା କଥା ସମସ୍ତେ ଜାଣନ୍ତି ।
ଆଜି ଯେଉଁ ଠିକାଦାର ଏହି ସାଇଡ଼ିଂ ସମୂହରେ ଲୋଡ଼ିଂ ପାଇଁ ପାଗ ଭିଡ଼ୁଛନ୍ତି ସେମାନେ ଭଲ ଭାବେ ମନେ ରଖିବା ଉଚିତ୍ ଯେ ଏଠାରେ ଶ୍ରମିକଙ୍କ ପାଉଣା ବ୍ୟାଙ୍କ ପେମେଣ୍ଟ ମାଧ୍ୟମରେ କଡ଼ା-ଗଣ୍ଡା ହିସାବରେ ପ୍ରଦାନ କରାଯାଏ । ଏଣୁ ତାଙ୍କ ପ୍ରାପ୍ୟ ଅର୍ଥରାଶିରୁ ପଇସାଟିଏ ଏପଟ ସେପଟ ହେଲେ କିମ୍ବା ତାଙ୍କୁ ସାଇଡ଼ିଂରୁ ହଟାଇ ମେସିନ୍ ସାହାଯ୍ୟରେ ଲୋଡ଼ିଂ କରାଇବାର ସ୍ୱପ୍ନ ଦେଖିଲେ ସ୍ଥାନୀୟ ଶ୍ରମିକମାନେ ସେମାନଙ୍କୁ କସ୍ମିନ୍ କାଳେ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଯାଦବ ଚେତାବନୀ ଦେଇଛନ୍ତି ।