ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ପାଳିତ ହେବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଜୟନ୍ତୀ । ମଇ ପହିଲାରେ ଗୁରୁଶ୍ରେଷ୍ଠ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜନ୍ମଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଓ ନୟଗଡ଼ ବିଧାୟକ ତଥା ପୂର୍ବତନମନ୍ତ୍ରୀ ଅରୁଣସାହୁ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବେ । ସୂଚନା ଯୋଗ୍ୟ ଯେ ଜଣେ ସୁବକ୍ତା ଭାବେ ପରିଚିତ ବିଧାୟକ ଶ୍ରୀ ସାହୁ ବିଜୁ ଜନତା ଦଳର ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ରହିଛନ୍ତି | ଆଦିବାସୀ ମାନଙ୍କ ମଧ୍ୟରେ ଡ଼ଃ ସାମନ୍ତ ହେଉଛନ୍ତି ଜଣେ ଗ୍ରହଣୀୟ ବ୍ୟକ୍ତିତ୍ୱ | ହଜାର ହଜାର ଆଦିବାସୀ ପିଲାଙ୍କୁ ନେଇ ମଣିଷ କରୁଥିବା ଯୋଗୁ ଆଦିବାସୀମାନଙ୍କ ଭିତରେ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି | ବିଜୁ ଜନତା ଦଳରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହେବାପରେ ସେ ପ୍ରଥମ ଥର ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି | ବିଜେଡି ସାଂସଦ ବ୍ୟତୀତ ଡ଼ଃ ସାମନ୍ତ ଆଦିବାସୀ ସମାଜର ଜଣେ ପ୍ରଚଣ୍ଡ ଶୁଭେଛୁ ଭାବେ ବିଦିତ | ଏହି ଦୁଇଜଣ ରାଜନୈତିକ ବ୍ୟକ୍ତିତ୍ୱ ହେଲେ ବି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜନୈତିକ ଦୃଷ୍ଟିରୁ ବିବେଚନା କରାଯାଇନପାରେ |
ମୟୁରଭଞ୍ଜ ଜିଲ୍ଲାର ଜନସଂଖ୍ୟା ମଧ୍ୟରୁ ଆଦିବାସୀମାନଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ । ଏହା ମଧ୍ୟରୁ ସାନ୍ତାଳ ସମ୍ପ୍ରଦାୟଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ । ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳ ସମ୍ପ୍ରଦାୟଙ୍କ ନିମନ୍ତେ ଅଲଚିକି ଭାଷା ଲିପିର ସ୍ରଷ୍ଟା ରହିଥିଲେ । କେବଳ ସେତିକି ନୁହେଁ ତାଙ୍କୁ ଚିକତ୍ସା ବିଦ୍ୟା ମଧ୍ୟ ଜଣାଥିଲା । ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜଣେ ପଣ୍ଡିତ, ବିଦ୍ୱାନ ଓ ମହାପୁରୁଷ ଭାବେ ଗ୍ରହଣ କରିଆସିଛନ୍ତି ଏବଂ ଉକ୍ତ ସମ୍ପ୍ରଦାୟଙ୍କ ନୟନର ତାରା ପାଲଟିଥିବାରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ପାଳନରେ ପ୍ରାୟ ୨୦ରୁ ୨୫ ହଜାରଙ୍କର ବିଶାଳ ସମାଗମ ହୋଇଥାଏ । ଏହି ଅବସରରେ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ସଭାପତିତ୍ୱରେ ରଙ୍ଗାରଙ୍ଗ ବାର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥାଏ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ।