ହେଡଲାଇନସ୍:

ଆମେ କେଡେ ପାରିବାର  : ନଈ କୂଳେ ବସି ଶୋଷିଲା !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଆମର ୪୮୦ କିମି ସମୁଦ୍ର ବେଳାଭୂମି, ତଥାପି ଲୁଣର ଚାହିଦା ମେଣ୍ଟି ପାରୁନି 

 ବର୍ଷକୁ ଲୁଣ ଦରକାର ୬.୭୦ ଲକ୍ଷ ଟନ୍: ଉତ୍ପାଦନ ହେଉଛି ମାତ୍ର ୩୧୩୫ ଟନ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍ ଟନ୍ ଲୁଣର ଆବଶ୍ୟକତା ଥିବା ବେଳେ ରାଜ୍ୟରେ ବର୍ଷକୁ ଉତ୍ପାଦିତ ହେଉଛି ମାତ୍ର ୩୧୩୫ ମେଟ୍ରିକ୍ ଟନ୍ ଲୁଣ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି । 

ଓଡ଼ିଶାରେ ୪ଟି ଲବଣ ସମବାୟ ସମିତି ଥିବା ବେଳେ ସେଥିରୁ ଏବେ ୩ଟି ଅଚଳ ହୋଇପଡ଼ିଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ଗଞ୍ଜାମର ହୁମା ଓ ବାହୁଦା, ବାଲେଶ୍ୱରର ବୋଳଙ୍ଗ ଏବଂ ପୁରୀର ଅସ୍ତରଙ୍ଗଠାରେ ତିନୋଟି ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ରହିଥିଲା । ଏଥିରୁ କେବଳ ବୋଳଙ୍ଗ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି କାର୍ଯ୍ୟକ୍ଷମ ଅଛି । 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୧୭-୧୮ ବର୍ଷରେ ଓଡ଼ିଶାରେ ୩,୧୩୫ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦିତ ହୋଇଥିବା ବେଳେ ରାଜ୍ୟ ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ । ଏଥିମଧ୍ୟରୁ ୪.୫୦ ଲକ୍ଷ ମେଟ୍ରିକ୍ ଟନ୍ ଶିଳ୍ପ ପାଇଁ ଆବଶ୍ୟକ ପଡ଼ୁଛି । ଓଡ଼ିଶାରେ ଲୁଣ ଉତ୍ପାଦନ ବୃଦ୍ଧି ସହିତ ଲବଣ ଶ୍ରମିକମାନଙ୍କ ଜୀବିକାରେ ସୁଧାର ଆଣିବା ପାଇଁ ୨୦୦୭ରୁ ୨୦୧୪ ବର୍ଷ ମଧ୍ୟରେ ତିନୋଟି ଲବଣ ସମବାୟ ସମିତିକୁ ୯୪ ଲକ୍ଷ ଟଙ୍କା ଦିଆଯାଇଥିଲେ ବି ଏଗୁଡ଼ିକ ସଚଳ ହୋଇପାରିନାହାନ୍ତି । ଅଚଳ ଲବଣ ସମବାୟ ସମିତିଗୁଡ଼ିକୁ ସଚଳ କରିବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନିଷ୍ଠିତ  ହୋଇଥିଲା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପାଲୁର କେନାଲ ଖନନ କରିବାରୁ ଲୁଣ ଉତ୍ପାଦନରେ ଦ୍ରୁତ ହ୍ରାସ ଓ ଲବଣ ଶ୍ରମିକଙ୍କ ବେରୋଜଗାରୀ ବିଷୟ ଉପରେ ଅନୁଧ୍ୟାନ ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି । ଗତ ଫେବୃଆରୀ ମାସରେ ମଧ୍ୟ ଲବଣ ଶିଳ୍ପର ବିକାଶ ଓ ଲବଣ ସମବାୟ ସମିତିଗୁଡ଼ିକୁ ସଚଳ କରିବା ପାଇଁ ଅନ୍ୟ ଏକ ବୈଠକ ଅନୁଷ୍ଠିତ  ହୋଇଛି । 

ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହିତ ୧୨୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଏସିଆର ବୃହତ୍ ପ୍ରାକୃତିକ ଲବଣ ହ୍ରଦ ଚିଲିକା ଥିବା ବେଳେ ଆମ ରାଜ୍ୟ ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାକୁ ଅନ୍ୟ ରାଜ୍ୟ ଉପରେ ଲୁଣ ପାଇଁ ନିର୍ଭର କରିବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି । ଠିକଣା ଭାବେ ଲବଣ ଶିଳ୍ପକୁ ପ୍ରୋତ୍ସାହନ ଦିଆଗଲେ ଏଥିରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ସହିତ ଓଡ଼ିଶା ନିଜ ଚାହିଦା ମେଣ୍ଟାଇ ଅନ୍ୟ ରାଜ୍ୟକୁ ଲୁଣ ରପ୍ତାନି କରିପାରିବ ଏବଂ ରାଜ୍ୟର ଅର୍ଥନୀତି ମଧ୍ୟ ଏଥିଯୋଗୁ ସମୃଦ୍ଧ ହୋଇପାରିବ ବୋଲି ସେ ଦର୍ଶାଇ ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ସେ କହିଛନ୍ତି । 

 

0
0
0
s2sdefault