ହେଡଲାଇନସ୍:

୬ ବର୍ଷ ମଧ୍ୟରେ ଓଡ଼ିଶାର କମିଛି ଖଣି ରାଜସ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଛଅ ବର୍ଷ ମଧ୍ୟରେ ଓଡ଼ିଶାରେ ଖଣି ରାଜସ୍ୱ ବଢ଼ିବା ପରିବର୍ତ୍ତେ କମିଛି । ତେବେ ୨୦୧୮-୧୯ ବର୍ଷରେ ଖଣି ରାଜସ୍ୱ ୭୧୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ରହିଛି । ବିଧାନସଭାରେ ଖଣିମନ୍ତ୍ରୀଙ୍କ  ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୨-୧୩ ବର୍ଷରେ ଓଡ଼ିଶାର ୧୪ଟି ଖଣି ସର୍କଲରେ ୫୬୭୪ କୋଟି ୫୨ ଲକ୍ଷ ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ ଏହାର ପରିମାଣ ବଢ଼ିବା ପରିବର୍ତ୍ତେ ମାତ୍ର ୫୫୬୭ କୋଟି ୪ ଲକ୍ଷ ଟଙ୍କାରେ ସୀମିତ ଥିଲା । ୨୦୧୩-୧୪ ବର୍ଷରେ ୫୫୦୭.୪ କୋଟି ଟଙ୍କାର ଖଣି ରାଜସ୍ୱ ଓଡ଼ିଶାରେ ଆଦାୟ ହୋଇଥିବା ବେଳେ ୨୦୧୪-୧୫ ବର୍ଷରେ ତାହା ୫୩୩୦.୪୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ତେବେ ୨୦୧୫-୧୬ ବର୍ଷରେ ଓଡ଼ିଶାର ଖଣି ରାଜସ୍ୱ ପରିମାଣ ୫୬୨୪.୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ୨୦୧୬-୧୭ରେ ତାହା ପୁଣି ୪୫୪୧.୨୮ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ତେବେ ଚଳିତ ଆର୍ଥିକ  ବର୍ଷରେ ରାଜ୍ୟ ସରକାର ୭୧୦୦ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ସୂଚାଇଛନ୍ତି । ଏହାଛଡ଼ା ଯେଉଁ ଖଣି ଲିଜଧାରୀଙ୍କ ଉପରେ ମୋଟା ଅଙ୍କର ରାଜସ୍ୱ ଓ ଜରିମାନା ବାକି ପଡ଼ିଛି ତାହାର ବିସ୍ତୃତ ବିବରଣୀ ମନ୍ତ୍ରୀ ପ୍ରଦାନ କରିଛନ୍ତି । ଏହି ଖିଲାପକାରୀଙ୍କ ମଧ୍ୟରେ ଭାରତ ସରକାରଙ୍କ ସେଲ୍, ନାଲ୍କୋ, ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ଆଦି ଥିବା ବେଳେ ଓଡ଼ିଶା ସରକାରଙ୍କ ଖଣି ନିଗମ ସମେତ ଟାଟା, ଫାକର୍, ଇମ୍ଫା ଆଦି ବହୁ ବେସରକାରୀ ଶିଳ୍ପ ସଂସ୍ଥା ତଥା ଖଣି ପଟ୍ଟାଦାର ରହିଛନ୍ତି । ବକେୟା ରାଶିର ଆଦାୟ ଲାଗି ସରକାର ଆଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚାଇଛନ୍ତି । 

ପ୍ରଶ୍ନକର୍ତ୍ତା ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଉତ୍ତର ଦେଇଥିବା ବେଳେ  ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ରାଜସ୍ୱ ବୃଦ୍ଧି ପାଉଥିବା ବେଳେ ଖଣିଜ କ୍ଷେତ୍ରରେ ୬ ବର୍ଷ ମଧ୍ୟରେ ରାଜସ୍ୱ ବୃଦ୍ଧି ପାଇବା ପରିବର୍ତ୍ତେ କାହିଁକି କମୁଛି ସେ ସଂକ୍ରାନ୍ତରେ ରାଜ୍ୟ ସରକାର ତର୍ଜମା କରି ଓଡ଼ିଶା ରାଜକୋଷର ହିତ ଦୃଷ୍ଟିରୁ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି । 

 

0
0
0
s2sdefault